ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ଲାଗି ସରକାରଙ୍କ ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଏଏସ୍ ଓକାଙ୍କ ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ, ଆବେଦନକାରୀମାନେ ଜମ୍ମୁ-କାଶ୍ମୀର ସୀମା ପୁନଃନିର୍ଦ୍ଧାରଣ ଆଇନର ବୈଧତାକୁ ଚାଲେଞ୍ଜ କରିନାହାନ୍ତି। ଶ୍ରୀନଗରର ବାସିନ୍ଦା ହାଜି ଅବଦୁଲ ଗନି ଖାନ ଓ ଡ ମହମ୍ମଦ ଆୟୁବ ମଟ୍ଟୁ କେବଳ କେନ୍ଦ୍ର ସରକାରଙ୍କ ୨୦୨୦ ମାର୍ଚ୍ଚର ବିଜ୍ଞପ୍ତିକୁ ଚାଲେଞ୍ଜ କରିଥିଲେ, ଯେଉଁ ବିଜ୍ଞପ୍ତି ଅନୁଯାୟୀ ଜମ୍ମୁ-କାଶ୍ମୀର ଡିଲିଟେସନ କମିସନ ବସାଯାଇଥିଲା ଏବଂ ୨୦୨୧ ମାର୍ଚ୍ଚ ମାସରେ ଏହାର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।
ଜଷ୍ଟିସ୍ ଓକା କହିଲେ ଯେ, ୨୦୧୯ ଅଧିନିୟମର ଧାରା ୬୨(୨) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଧାରା ଅନୁସାରେ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଡିଲିମିଟେସନ କମିସନ କରୁଛି। ତେଣୁ ବିଜ୍ଞପ୍ତିର ଉତ୍ସ ଅର୍ଥାତ୍ ଉକ୍ତ ଆଇନର ଧାରା ୬୨(୨) ବଦଳରେ ପିଟିସନରମାନେ କାହିଁକି ବିଜ୍ଞପ୍ତିକୁ ଚାଲେଞ୍ଜ କଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ପିଟିସନରଙ୍କ ଓକିଲ ରବିଶଙ୍କର ଜନ୍ଧ୍ୟାଲା, ଶ୍ରୀରାମ ପାରାକଟ ଓ ଏମ୍ଏସ୍ ବିଷ୍ଣୁଶଙ୍କରଙ୍କ ଯୁକ୍ତି ଅନୁଯାୟୀ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ୨୦୧୯ ଆଇନର ଧାରା ୬୦ ଅନୁଯାୟୀ କେବଳ ଭାରତର ନିର୍ବାଚନ ଆୟୋଗ କରିବା କଥା। ସେମାନେ ପୁଣି ଯୁକ୍ତି କରିଥିଲେ ଯେ ସମ୍ବିଧାନର ଧାରା ୧୭୦ ଅନୁଯାୟୀ ୨୦୧୧ ଜନଗଣନା ଭିତ୍ତିରେ ସୀମା ପୁନଃନିର୍ଦ୍ଧାରଣ କରିବାକୁ ବାରଣ ରହିଛି। ତେଣୁ ୨୦୦୧ ଜନଗଣନା ଭିତ୍ତିରେ, ନ ହେଲେ ୨୦୨୬ ପରେ ହେବାକୁ ଥିବା ଜନଗଣନା ଭିତ୍ତିରେ ଏହା କରାଯାଇପାରିବ। ସେମାନେ ପୁଣି ଅଭିଯୋଗ କରିଥିଲେ ଯେ ୨୦୧୯ ଆଇନର ଧାରା ୬୦ ଓ ୬୧ରେ ସୀମା ପୁନଃନିର୍ଦ୍ଧାରଣରେ ନିର୍ବାଚନ ଆୟୋଗର ଭୂମିକା ବିଷୟରେ ଲେଖାଯାଇଥିବା ବେଳେ ଧାରା ୬୨ ଏହାର ବିରୋଧାଚରଣ କରୁଛି। ସରକାର ଯଦି ଚାହୁଛନ୍ତି ସାରା ଦେଶରେ ଗୋଟିଏ ଆଇନ ଚାଲିବ, ତେବେ ୨୦୨୧ ବିଜ୍ଞପ୍ତିରେ ସରକାର କାହିଁକି ଜମ୍ମୁ-କାଶ୍ମୀରକୁ ଅଲଗା କରିଦେଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ।
ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ କେନ୍ଦ୍ରଶାସିତ ଜମ୍ମୁ-କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ଧାରା ୬୦-୬୧ ଅନୁସାରେ ନିର୍ବାଚନ ଆୟୋଗ ଦ୍ବାରା ଏହା କରାଇବା ଏବଂ ଦ୍ବିତୀୟଟି ହେଉଛି ଧାରା ୬୨(୨) ଓ ୬୨(୩) ଅନୁସାରେ ଡିଲିମିଟେସନ କମିସନକୁ ଏଥିଲାଗି କ୍ଷମତା ପ୍ରଦାନ କରିବା। ମେ ୨୦, ୨୦୨୨ରୁ ଡିଲିମିଟେସନ ଆଦେଶ କାର୍ଯ୍ୟକାରୀ ହେଲାଣି। ତେଣୁ ଶେଷ ପର୍ଯ୍ୟାୟରେ ଏହାକୁ ଆଉ ବଦଳାଯାଇ ପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି କରାଯାଇଥିଲା।