ଜମ୍ମୁ କଶ୍ମୀରରେ ବିପଦ ବଢ଼ୁଛି, ୪ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗ ନେଇ କେତେକ ବିପଜ୍ଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଚଳିତ ବର୍ଷ ୧୩୦ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ସୁରକ୍ଷା ବାହିନୀ ପାଇଁ ଏହା ଚିନ୍ତାର କାରଣ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏଠାରେ ଏବେ ହିଜ୍‌୍‌ବୁଲ ଓ ଲସ୍କର୍‌ ପରେ ଅଲ୍‌କାଏଦା କାୟା ବିସ୍ତାର କରିବାରେ ଲାଗିଛି। ପ୍ରାୟ ୬୦ ଜଣ ଯୁବକ ଅଲ୍‌ କାଏଦାର ଶାଖା ସଂଗଠନ ଗଜବତ ଉଲ୍‌ ହିନ୍ଦରେ ସାମିଲ ହୋଇଛନ୍ତି। ଏହି ସଂଗଠନର ନେତୃତ୍ୱ ଏବେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ନେଉଛି। ପୁଲଓ୍ଵାମା ଜିଲ୍ଲାର ତ୍ରାଲ ଅଂଚଳରେ ଆତ୍ମଗୋପନ କରି ରହିଥିବା ମୁସା ତା’ର ସଂଗଠନ ବଢ଼ାଇ ଚାଲିଥିବାରୁ ତାକୁ ନିପାତ କରିବା ଏବେ ସୁରକ୍ଷା ବାହିନୀ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ଦକ୍ଷିଣ କଶ୍ମୀରରୁ ପ୍ରାୟ ୯୦ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ପୁଲିସ ଏବଂ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ପାକ୍‌ ଅଧିକୃତ କଶ୍ମୀରରେ ତାଲିମ ନେଉଛନ୍ତି।

୧୩୦ ଯୁବକ ଆତଙ୍କବାଦୀ ସାଜିଲେ
ଅଲ୍‌୍‌କାଏଦାରେ ସାମିଲ ହେଲେ ୬୦ ଜଣ
ବ୍ୟାପକ ହେବ ‘ଅପରେସନ ଅଲ୍‌୍‌ ଆଉଟ୍‌’

ଅନ୍ୟପକ୍ଷରେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଏଯାବତ୍‌ ୧୪୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ପ୍ରାୟ ୨୫୦ ଆତଙ୍କବାଦୀ ଏବେ କଶ୍ମୀରରେ ସକ୍ରିୟ ଅଛନ୍ତି। ୨୦୧୬-୧୭ ବର୍ଷ ତୁଳନାରେ ଚଳିତବର୍ଷ କଶ୍ମୀରରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ଅଛି ବୋଲି ନିକଟରେ ସିଆରପିଏଫ୍‌ ଡିଜି ଆର୍‌ ଆର୍‌ ଭଟନାଗର ଗଣମାଧ୍ୟମକୁ କହିଥିବା ବେଳେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ଏବେ ଘୋର ଚିନ୍ତାର କାରଣ ହୋଇଛି । ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗ ନଦେବା ନେଇ ନିରୁତ୍ସାହିତ କରିବା ନିମନ୍ତେ ସିଆରପିଏଫ୍‌ ଦ୍ୱାରା ହେଉଥିବା ବିଭିନ୍ନ ପ୍ରୟାସ ବିଫଳ ହୋଇଛି। ପାକିସ୍ତାନ ସହ ସଂପର୍କରେ ଥିବା ବିଚ୍ଛିନ୍ନତାବାଦୀ ନେତାମାନେ ସ୍ଥାନୀୟ ଯୁବକଙ୍କୁ ବିପୁଳ ଅର୍ଥ ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଏବେ ସାଧାରଣତଃ ହାତରେ ଅସ୍ତ୍ରଶସ୍ତ୍ର ନଥିବା ସୁରକ୍ଷାକର୍ମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସୁରକ୍ଷା କର୍ମୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଏବଂ ଅପରେସନ୍‌ ଅଲ୍‌ ଆଉଟ୍‌କୁ ବ୍ୟାପକ କରିବା ପାଇଁ ଏବେ ସେନା, ସିଆର୍‌ପିଏଫ୍‌୍‌ ଏବଂ ପୁଲିସ ବାହିନୀ ମିଳିତ ରଣନୀତି ତୟାର କରୁଛନ୍ତି।

ସମ୍ବନ୍ଧିତ ଖବର