ଜମ୍ମୁ-କଶ୍ମୀରରେ ଆଜିଠୁ ରାଷ୍ଟ୍ରପତି ଶାସନ

ଜମ୍ମୁ: ଜମ୍ମୁ-କଶ୍ମୀରରେ ଗୁରୁବାର ଠାରୁ ରାଷ୍ଟ୍ରପତି ଶାସନ ଲାଗୁ ହେବ। କେନ୍ଦ୍ର କ୍ୟାବିନେଟ୍‌ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ଦ୍ବାରା ପଠାଯାଇଥିବା ଏକ ରିପୋର୍ଟକୁ ତର୍ଜମା କରିବା ପରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ ନେଇ ପ୍ରସ୍ତାବ ରଖିଥିଲେ। ୬ ମାସ ପୂର୍ବରୁ ଲାଗୁ ହୋଇଥିବା ରାଜ୍ୟପାଳ ଶାସନ ବୁଧବାର ଶେଷ ହୋଇଥିବା ବେଳେ ଗୁରୁବାରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ସ୍ପଷ୍ଟ ହୋଇଛି। ଚଳିତ ବର୍ଷ ଜୁନ୍‌ରେ ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ସରକାର ଭାଙ୍ଗି ଯାଇଥିଲା। ଏହାପରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ରାଜ୍ୟପାଳ ସତ୍ୟପାଲ୍‌ ମଲିକ ମଧ୍ୟ ନଭେମ୍ବର ୨୧ ତାରିଖରେ ଜମ୍ମୁ କଶ୍ମୀର ବିଧାନସଭା ଭାଙ୍ଗିଦେଇଛନ୍ତି। ତେବେ ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ଲାଗୁ ହେବ। ଏହି ୬ ମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଘୋଷଣା ହୋଇପାରେ। ଯଦି ନିର୍ବାଚନ‌ ଘୋଷଣା ନହୁଏ, ତେବେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବୃଦ୍ଧି କରାଯିବ। ଏହି ପ୍ରସ୍ତାବକୁ ଆଜି ରାଷ୍ଟ୍ରପତି ମଞ୍ଜୁରି ଦେଇଛନ୍ତି।

ସମ୍ବନ୍ଧିତ ଖବର