ଆତଙ୍କବାଦୀଙ୍କ ସହ ସଂପୃକ୍ତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ମହମ୍ମଦ ସାରୋରିଙ୍କୁ ସମନ ଜାରି କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ବରିଷ୍ଠ କଂଗ୍ରେସ ନେତା ଗୁଲାମ ମହମ୍ମଦ ସାରୋରିଙ୍କୁ ଆଜି (ସୋମବାର) ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସମନ୍‌ ଜାରି କରିଛି। ଆତଙ୍କବାଦୀଙ୍କ ସହ ସଂପୃକ୍ତି ରହିଥିବା ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମନ୍ତ୍ରୀ ଗୁଲାମ ମହମ୍ମଦ ସାରୋରିଙ୍କୁ ଏନ୍‌ଆଇଏ ପକ୍ଷରୁ ଆଜି ଏହି ସମନ୍‌ ଜାରି କରାଯିବା ସହ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ସକ୍ରିୟ ଥିବା ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗୋଷ୍ଠୀ ସହ ସଂପୃକ୍ତି ଥିବା ଅଭିଯୋଗରେ ଜମ୍ମୁ- କଶ୍ମୀର ପୁଲିସ ଗତବର୍ଷ ଅକ୍ଟୋବର ମାସରେ ଗୁଲାମ ମହମ୍ମଦ ସାରୋରିଙ୍କ ଭାଇ ଶାଫି ସରୋରିଙ୍କୁ ଗିରଫ କରିଥିଲା। ଶାଫି ସରୋରି ମଧ୍ୟ ଜଣେ ସରପଞ୍ଚ ଥିଲେ। ଶାଫି ସରୋରି ତାଙ୍କ ପୈତୃକ ଘରେ ଆତଙ୍କବାଦୀମାନଙ୍କୁ ନିରାପଦ ଆଶ୍ରୟ ପ୍ରଦାନ କରିବା ସହ ସେଠାରୁ ଥାଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ଆତଙ୍କବାଦୀମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଥିଲେ। ସେତେବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରିଥିଲା।

ସମ୍ବନ୍ଧିତ ଖବର