ଜମ୍ମୁ-କଶ୍ମୀର ପୁନର୍ଗଠନ ମାମଲା‌: ଚୀନ୍‌ର ଆପତ୍ତିକୁ ଭାରତର କଡ଼ା ବିରୋଧ

ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁନର୍ଗଠନକୁ ବିରୋଧ କରି ଚୀନ୍‌ ଦେଇଥିବା ବୟାନର ଦୃଢ ବିରୋଧ କରିଛି ଭାରତ। ଭାରତ କହିଛି, ଜମ୍ମୁ-କଶ୍ମୀର ପୁନର୍ଗଠନ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା। ଏଥିନେଇ ଅନ୍ୟ କୌଣସି ଦେଶ ମୁଣ୍ଡ ‌ଖେଳାଇବା ଉଚିତ ନୁହେଁ। ଅପରପକ୍ଷେ, ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଚୀନ୍‌ ବେଆଇନ୍‌ ଭାବେ ଜବରଦଖଲ କରିବାକୁ ଉଦ୍ୟମ କରୁଛି ବୋଲି ଭାରତ କହିଛି। ଚୀନ୍‌ ଅଭିଯୋଗ କରିଥିଲା ଯେ, ଭାରତ ଏକପାଖିଆ ଭାବେ ଜମ୍ମୁ-କଶ୍ମୀର ପୁନର୍ଗଠନ କରିଛି। ଭାରତର ଏ ନିଷ୍ପତ୍ତି ବେଆଇନ ଏବଂ ଏହା ଫଳରେ ଚୀନ୍‌ର ସାର୍ବଭୌମତ୍ବ ପ୍ରଭାବିତ ହେଉଛି ବୋଲି ଚୀନ୍‌ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ୍‌ ସ୍ବାଙ୍ଗ୍‌ ବେଜିଂ ଗଣମାଧ୍ୟମକୁ କହିଥିଲେ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ଚୀନ୍‌ ଜମ୍ମୁ-କଶ୍ମୀରର ଏକ ଅଂଶକୁ ବେଆଇନ୍‌ ଭାବେ ମାଡ଼ି ବସିଛି। ପାକ୍‌ ଅଧୀକୃତ କଶ୍ମୀରର ଏକ ଅଂଶକୁ ଚୀନ୍‌ ବେଆଇନ୍‌ ଭାବେ ନିଜ ଦଖଲରେ ରଖିଥିବାରୁ ଏଥିରୁ ଓହରିବା ଆବଶ୍ୟକ ବୋଲି ସେ କହିଛନ୍ତି। ୧୯୬୩ରେ ହୋଇଥିବା ଚୀନ୍‌-ପାକିସ୍ତାନ ସୀମା ଚୁକ୍ତି ବେଆଇନ ବୋଲି ରବିଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର