ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ମାସିକ ଦରମା ନେଉଥିଲେ ନିଲମ୍ବିତ ଡିଏସପି ଦେବିନ୍ଦର ସିଂହ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ନିଲମ୍ବିତ କରି ଦିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ଦେବିନ୍ଦର କେବଳ ନଭୀଦକୁ ସ୍ଥାନାନ୍ତରଣ ଓ ବର୍ଷ ସାରା ସହଯୋଗ କରିବା ପାଇଁ ଟଙ୍କା ନେଉଥିଲେ । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ନିଜ ନାମ ଗୋପନ ରଖି କହିଛନ୍ତି, ଦେବିନ୍ଦର ନଭୀଦକୁ ଜମ୍ମୁ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ। ଏହାପରେ ଦେବିନ୍ଦର ନଭୀଦକୁ ନେଇ ପାକିସ୍ତାନ ଯିବାର ଯୋଜନା କରିଥିଲେ ।
ଉକ୍ତ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନେବା ପାଇଁ ଦେବିନ୍ଦର କାହିଁକି ସଡ଼କ ମାର୍ଗରେ ଯାଉଥିଲେ, ଏ ନେଇ ତଦନ୍ତ ଚାଲିଛି । ସେ ସୂଚନା ଦେଇଛନ୍ତି ଯେ, ଦେବିନ୍ଦର ଏହି କାମ ପାଇଁ ପାଖାପାଖି ୨୦ ରୁ ୩୦ ଲକ୍ଷ ଟଙ୍କା ନେଇଥିଲେ । ଖାଲି ସେତିକି ନୁହେଁ, ହିଜବୁଲ ମୁଜାହିଦିନଠାରୁ ଦେବିନ୍ଦର ମାସିକ ଦରମା ବି ନେଉଥିଲେ । ସେ କିଛି ବର୍ଷ ହେବ ନଭୀଦ ସହିତ ସଂପର୍କରେ ଥିଲେ । ତାଙ୍କୁ ନିୟମିତ ଭାବେ ଆତଙ୍କବାଦୀ ସଂଗଠନରୁ ଟଙ୍କା ମିଳି ଯାଉଥିଲା । ଦେବିନ୍ଦର ତଦନ୍ତରେ ଠକ୍ ଭାବେ ସହଯୋଗ କରୁନାହାନ୍ତି ବୋଲି ଅଧିକାରୀଜଣକ କହିଛନ୍ତି ।

ସମ୍ବନ୍ଧିତ ଖବର