ଆତଙ୍କବାଦୀଙ୍କୁ ପସନ୍ଦ ଆସୁନାହିଁ ଏକେ ୪୭ ରାଇଫଲ, ବ୍ୟବହାର କରୁଛନ୍ତି ଏହି ହତିଆର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ତଥା ବିଦେଶୀ ଆତଙ୍କବାଦୀମାନେ ବର୍ତ୍ତମାନ ଆକ୍ରମଣର କୌଶଳ ପରିବର୍ତ୍ତନ କରୁଛନ୍ତି। ଏହାପୂର୍ବରୁ, ‘ଏକେ ୪୭’ ପରି ସ୍ୱୟଂଚାଳିତ ରାଇଫଲଗୁଡିକୁ ଆକ୍ରମଣ ପାଇଁ ବ୍ୟବହାର କରୁଥିଲେ | ତେବେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହେବା ପରେ ଏବେ ଏକେ ୪୭ ବଦଳରେ ପିସ୍ତଲ ବ୍ୟବହାର କରୁଥିବାର ଜଣାପଡିଛି | ବିଶେଷ କରି ‘ହାଇବ୍ରିଡ୍’ ଆତଙ୍କବାଦୀମାନେ କେବଳ ପିସ୍ତଲ ବ୍ୟବହାର କରୁଛନ୍ତି। ଜମ୍ମୁ କଶ୍ମୀରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ହାଇବ୍ରିଡ ଆତଙ୍କବାଦୀମାନେ ବର୍ତ୍ତମାନ ‘ଟାର୍ଗେଟ କିଲିଂ’ ଉପରେ ଧ୍ୟାନ ଦେଉଛନ୍ତି। ଏହାର କାରଣ ହେଉଛି, ଆତଙ୍କବାଦୀମାନେ ଏଥିରେ ଖସିଯିବାର ଅଧିକ ସୁବିଧା ରହିଛି | ସିଧାସଳଖ ଲଢେଇରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିପାରୁନଥିବାବେଳେ ନୂତନ ଆତଙ୍କବାଦୀଙ୍କୁ ସାମିଲ କରିହେଉ ନାହିଁ। ସେହିପରି ସୀମା ଅନୁପ୍ରବେଶକୁ ମଧ୍ୟ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି | ଏଭଳି ପରିସ୍ଥିତିରେ ଆତଙ୍କବାଦୀ ସଂଗଠନମାନେ ଟାର୍ଗେଟ କିଲିଂ ପାଇଁ ‘ହାଇବ୍ରିଡ’ ଦଳକୁ ସକ୍ରିୟ କରୁଛନ୍ତି।

ସୋମବାର ଦିନ ଜମ୍ମୁ କଶ୍ମୀର ପୁଲିସ୍ ଏବଂ ସୁରକ୍ଷା ବାହିନୀର ଏକ ଟିମ୍ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଇ-ତାଇବା’ର ଦୁଇ ସ୍ଥାନୀୟ ହାଇବ୍ରିଡ୍ ‘ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଦୁଇ ଆତଙ୍କବାଦୀ ଶ୍ରୀନଗରରୁ ଧରାପଡିଛନ୍ତି। କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର ଏହାକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

ଆତଙ୍କବାଦୀଙ୍କ ନିକଟରୁ ୧୫ ଟି ପିସ୍ତଲ, ୩୦ ଟି ମାଗାଜିନ, ୩୦୦ ରାଉଣ୍ଡ ଗୁଳି ଜବତ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ହାଇବ୍ରିଡ ଆତଙ୍କବାଦୀମାନେ ଅନ୍ୟ ଆତଙ୍କବାଦୀଙ୍କ ପରି କୌଣସି ସ୍ଥାନରେ ଲୁଚନ୍ତି ନାହିଁ | ଲକ୍ଷ୍ୟ ପୂରଣ କରିବା ପୂର୍ବରୁ, ସେମାନେ ସାଧାରଣ ଲୋକଙ୍କ ଭଳି ରୁହନ୍ତି | ଏହି ଆତଙ୍କବାଦୀମାନେ ରାଇଫଲ ବଦଳରେ ପିସ୍ତଲ ବ୍ୟବହାର କରନ୍ତି। ଯାହାଦ୍ୱାରା ଏହାକୁ ସହଜରେ ଲୁଚାଇ ପାରିବେ | ଯଦି ରାଇଫଲ ବ୍ୟବହାର କରିବେ, ତେବେ ଧରାପଡିଯିବାର ବିପଦ ଅଛି |

ସମ୍ବନ୍ଧିତ ଖବର