ସୋପିଆନ୍ (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ସୋପିଆନ୍ ଜିଲ୍ଲା ଅନ୍ତର୍ଗତ ଖୁଡ଼୍ପୋରା ଗ୍ରାମରେ ଆଜି (ରବିବାର) ସକାଳେ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷା ବାହିନୀର ଯବାନମାନଙ୍କ ଦ୍ୱାରା କରାଯାଇଥିବା ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେଠାରେ ଆତ୍ମଗୋପନ କରି ରହିଥିବା ଅନ୍ୟ ୨ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସମର୍ଥ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ସଦସ୍ୟ ଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମହମ୍ମଦ ଇରଫାନ୍ ଭଟ୍ଟ ହୋଇଥିବା ବେଳେ ଅନ୍ୟକ ସହିଦ୍ ମୀର ବୋଲି ଚିହ୍ନଟ କରାଯାଇଛି।
ଏନ୍କାଉଣ୍ଟର ପରେ ଏମାନଙ୍କ ନିକଟରୁ ବହୁ ପରିମାଣର ମାରଣାସ୍ତ୍ରକୁ ମଧ୍ୟ ସୁରକ୍ଷା ବାହିନୀର ଯବାନମାନେ ଜବତ କରିଛନ୍ତି। ଜାମ୍ମୁ- କଶ୍ମୀରରେ ଘଟିଥିବା ଅନେକ ଆତଙ୍କବାଦୀ ହାମଲାରେ ନିହତ ହୋଇଥିବା ଏହି ୨ ଆତଙ୍କବାଦୀ ସଂପୃକ୍ତ ଥିବା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ସଂପୃକ୍ତ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସନ୍ଦେହ କରି ଏବେ ବି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।