ଦାମ୍ପତ୍ୟ ବିବାଦ: ଜାମୁଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମାଜିଷ୍ଟ୍ରେଟ୍‌ଙ୍କ ପତ୍ନୀ

ପାଟନା: ଘରେ ପ୍ରବେଶ କରିବାକୁ ଅନୁମତି ନ ମିଳିବାରୁ ଜାମୁଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଧର୍ମେନ୍ଦ୍ର କୁମାରଙ୍କ ପତ୍ନୀ ନିଜ ମାଆଙ୍କ ସହ ବୁଧବାର ଦିନ ତାଙ୍କ ଜାମୁଇସ୍ଥିତ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

୨୬ ବର୍ଷୀୟ ବତ୍ସଳା ସିଂହ ଏବଂ ତାଙ୍କ ୫୨ ବର୍ଷୀୟ ମାଆ ପୁଷ୍ପା ସିଂହ ବୁଧବାର ଦିନ ସକାଳ ୮ଟାରେ ପାଟନାରୁ ଯାଇ ଜାମୁଇରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି: ମୋ ସ୍ୱାମୀଙ୍କ ଆଦେଶରେ ଏଇ ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟାନ୍ୟ ତଳିଆ କର୍ମଚାରୀମାନେ ଆମକୁ ଘର ଫାଟକ ନିକଟରେ ଅଟକାଇଛନ୍ତି। ସନ୍ଧ୍ୟା ଯାଏଁ ଦୁହେଁ ବାହାରେ ବସିଥିଲେ ବୋଲି ଖବର ମିଳିଥିଲା।

ବତ୍ସଳ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ମାର୍ଚ ମାସରେ ହଠାତ୍‌ ମୋ ସ୍ୱାମୀ ପାଟନାର ଏକ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ତାଙ୍କ ସହ କଥାବାର୍ତ୍ତା କରିବା ଲାଗି ମୋର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ୍‌ କୁମାର କହନ୍ତି: ମାମଲାର ଏବେ ଅଦାଲତରେ ବିଚାର ଚାଲିଛି। ଏପ୍ରିଲ୍‌ ମାସରେ ସେ ମୋ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ, କିନ୍ତୁ ତାହା ମିଥ୍ୟା। ମାର୍ଚ ୭ ତାରିଖରେ ଛାଡ଼ପତ୍ର ଆବେଦନ ଫାଇଲ୍‌ କରାଯାଇଛି।

ପାଟନା ଅନ୍ତର୍ଗତ ପାଟଳିପୁତ୍ର କଲୋନିର ବ୍ୟବସାୟୀ ପରିବାରରୁ ଆସିଥିବା ବତ୍ସଳା ଅଭିଯୋଗ କରନ୍ତି: ମୁଁ ସମାଜର ଉଚ୍ଚବର୍ଗର ଏବଂ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧି ବୁଲୁଥିବା ଅଭିଯୋଗ କରି ସେ ମୋତେ ଏଡ଼ାଇବା ଆରମ୍ଭ କଲେ। ମୁଁ ସବୁବେଳେ ଇଂରାଜୀରେ କଥାବାର୍ତ୍ତା କରୁଛି ବୋଲି ମଧ୍ୟ ସେ ମୋ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ନିକଟରେ ଫେରାଦ ହୋଇଛନ୍ତି। ମୁଁ ମତପାର୍ଥକ୍ୟର ସମାଧାନ କରିବାକୁ ଉଦ୍ୟମ କଲି, କିନ୍ତୁ ସେ ଏ ପର୍ଯ୍ୟନ୍ତ ଛାଡ଼ପତ୍ରର କୌଣସି ବୈଧ୍ୟ କାରଣ ଦେଇ ନାହାନ୍ତି।

ପାଟନା ବେଉର୍‌ବାସୀ କୁମାର ହେଉଛନ୍ତି ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ହୋଇଥିବା ବେଳେ ବତ୍ସଳା ଦିଲ୍ଲୀରୁ ଟେକ୍‌ସ୍‌ଟାଇଲ୍‌ ପଢ଼ିଛନ୍ତି। ବତ୍ସଳା କହନ୍ତି: ଆମେ ମାର୍ଚ ୧୧ ତାରିଖ, ୨୦୧୫ ମସିହାରେ ବିବାହ କଲୁ। ପ୍ରଥମେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ବାହାଘର ପରେ ମୁଁ ପଢ଼ା କୋର୍ସ ସାରିବାକୁ ଦିଲ୍ଲୀ ଗଲି ଏବଂ ୨୦୧୫ ଶେଷ ସୁଦ୍ଧା ଫେରି ଆସିଲି। ଏହି ସମୟରେ ହିଁ ସ୍ୱାମୀ ମୋ ବିରୋଧରେ ଦୁନିଆ ଅଭିଯୋଗ ଆଣିଲେ। ତାଙ୍କ ବାପାମାଆ ଏବଂ ପରିବାରର ସଦସ୍ୟମାନେ କେବଳ ତାଙ୍କ କଥା ହିଁ ଶୁଣନ୍ତି। କୁମାର ସେସନ୍‌ କୋର୍ଟ କି, ନେସ୍‌ନାଲ୍‌ ଉଇମିନ୍‌ସ୍‌ କମିସନ୍‌ଙ୍କ କାଉସେଲିଙ୍ଗ୍‌ ସେସନ୍‌ରେ ବି ଯୋଗ ଦେଉ ନାହାନ୍ତି।

ସମ୍ବନ୍ଧିତ ଖବର