ଜନ ସମର୍ଥ ପୋର୍ଟାଲ ୧୩ ପ୍ରକାର ଋଣ ପ୍ରଦାନରେ ସହଯୋଗ କରୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୬ ଜୁନ୍ ୨୦୨୨ରେ ଜନ ସମର୍ଥ ପୋର୍ଟାଲ୍ ଆରମ୍ଭ କରିଥିଲେ। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭାଗବତ କିଷାନରାଓ କରାଦ ଏ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରିଛନ୍ତି।

ମନ୍ତ୍ରୀ କହିଲେ ଯେ, ଏହି ପୋର୍ଟାଲ ସମସ୍ତ ହିତାଧିକାରୀ, ଆର୍ଥିକ ପ୍ରତିଷ୍ଠାନ, କେନ୍ଦ୍ର/ରାଜ୍ୟମାନଙ୍କର ସରକାରୀ ଏଜେନ୍ସି ଏବଂ ନୋଡାଲ୍ ଏଜେନ୍ସି ପରି ସମସ୍ତ ହିତାଧିକାରୀଙ୍କୁ ଏକ ସାଧାରଣ ପ୍ଲାଟଫର୍ମ (ମଂଚ)ରେ ସଂଯୋଗ କରିଥାଏ। ଆବେଦନକାରୀ ଗୋଟିଏ ପ୍ଲାଟଫର୍ମ ମାଧ୍ୟମରେ ୧୩ଟି ଯୋଜନାକୁ ବ୍ୟବହାର କରି ପାରିବେ। ରିହାତି (ସବ୍‌ସିଡି) ଯୋଗ୍ୟତା ଯାଂଚ ପାଇଁ ଆବେଦନକାରୀଙ୍କୁ ସହଜ ମାର୍ଗଦର୍ଶନ କରିଥାଏ। ହିତାଧିକାରୀମାନଙ୍କ ପାଇଁ ସର୍ବୋତ୍ତମ ଉପଯୁକ୍ତ ଯୋଜନାର ସ୍ୱୟଂଚାଳିତ ସୁପାରିସ କରିଥାଏ। ଡିଜିଟାଲ୍ ଯାଂଚ ଉପରେ ଆଧାର କରି ଋଣ ଆବେଦନଗୁଡିକୁ ଡିଜିଟାଲ୍ ଅନୁମୋଦନ ଦେଇଥାଏ। ହିତାଧିକାରୀ ଏହା ମାଧ୍ୟମରେ ସେମାନଙ୍କ ଋଣ ଆବେଦନର ପ୍ରକୃତ ସମୟ ସ୍ଥିତିକୁ ଟ୍ରାକ୍ କରି ପାରିବେ।

ମନ୍ତ୍ରୀ ଆହୁରି କହିଥିଲେ ଯେ, ଆବେଦନକାରୀମାନଙ୍କ ଦ୍ୱାରା ଜନ ସମର୍ଥ ପୋର୍ଟାଲର ବ୍ୟବହାର ଋଣ ଆବେଦନ ଏବଂ ବିତରଣ ପ୍ରକ୍ରିୟାକୁ ସହଜ କରିବ, କାରଣ ଆବେଦନକାରୀମାନେ ତାଙ୍କର ଆବେଦନକୁ ଏଥିରେ ଅପ୍‌ଲୋଡ୍ କରି ପାରିବେ ଏବଂ ଆବେଦନଗୁଡିକର ଅନୁମୋଦନ ପାଇଁ ନିୟମ ଇଞ୍ଜିନ୍ ନିର୍ମାଣ ହୋଇ ସାରିଛି। ଏହା ଯୋଗୁଁ ସମୟ ଏବଂ ପରିଶ୍ରମ ନଷ୍ଟ ହେବ ନାହିଁ, କାରଣ ଆବେଦନକାରୀ ପୋର୍ଟାଲରେ ଋଣ ପାଇଁ ଆବେଦନ କରି ପାରିବେ ଯାହା ୨୪ ଘଣ୍ଟିଆ ଉପଲବ୍ଧ।
ଏହି ପୋର୍ଟାଲ ବର୍ତମାନ ଯୁବକ, ଛାତ୍ର, ଉଦ୍ୟୋଗୀ ଏବଂ କୃଷକମାନଙ୍କୁ ଶିକ୍ଷା ଋଣ, କୃଷି ଋଣ, ବ୍ୟବସାୟ ଋଣ ଏବଂ ଜୀବିକା ଋଣ ଭଳି ୧୩ ପ୍ରକାର ଋଣ ପ୍ରଦାନରେ ସହଯୋଗ କରୁଛି ବୋଲି ମନ୍ତ୍ରୀ କହିଥିଲେ। ଯେକୌଣସି ହିତାଧିକାରୀ ଏଥିରେ ପଞ୍ଜୀକରଣ କରି ପାରିବେ, ବିଭିନ୍ନ ସରକାରୀ ଯୋଜନା ଆଧାରରେ ସେମାନଙ୍କର ଯୋଗ୍ୟତା ଯାଂଚ କରି ପାରିବେ ଏବଂ ଜନ ସମର୍ଥ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ଋଣ ଅନୁମୋଦନ ପାଇଁ ଆବେଦନ କରି ପାରିବେ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର