ପାଟନା: ଜନ ସୁରାଜ ପାର୍ଟି ନେତା ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ବିହାର ରାଜନୀତି ସରଗରମ ଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ପାଟନା ପୁଲିସ ଶନିବାର ରାତିରେ ବିବାଦୀୟ ପୂର୍ବତନ ବିଧାୟକ ତଥା ମୋକାମାରୁ ଜେଡି(ୟୁ) ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଗିରଫ କରିଛି। ପାଟନା ଏସ୍‌ଏସ୍‌ପିଙ୍କ ନେତୃତ୍ବରେ ଏକ ଦଳ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନନ୍ତ ସିଂହଙ୍କୁ ତାଙ୍କ ବାଢ଼ ସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ପୁଲିସ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ ଏହି ମାମଲାରେ ଆଉ ଦୁଇ ଜଣ ମଣିକାନ୍ତ ଠାକୁର ଓ ରଞ୍ଜିତ ରାମଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡ ସମୟରେ ସେମାନେ ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ଅନନ୍ତ ସିଂହଙ୍କୁ ରବିବାର ଏମ୍‌ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଶୁଣାଣି ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏବେ ସେ ଜେଲ୍‌ରୁ ନିର୍ବାଚନ ଲଢ଼ିବେ। ତାଙ୍କ ବିରୋଧରେ ଏଠାରେ ପୂର୍ବତନ ବାହୁବଳୀ ସାଂସଦ ସୁରଜଭାନ ସିଂହଙ୍କ ପତ୍ନୀ ବୀଣା ଦେବୀ ଆର୍‌ଜେଡି ଟିକେଟରୁ ଲଢ଼ୁଛନ୍ତି। 

Advertisment

୩୦ ଅକ୍ଟୋବରରେ ମୋକାମାରେ ଜନସୁରାଜ ପାର୍ଟି ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କ ପ୍ରଚାର ବେଳେ ଅନନ୍ତ ସିଂହ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ‌ଘଟିଥିଲା। ଏଥିରେ ୭୫ ବର୍ଷୀୟ ଦୁଲାରଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ଦୁଲାରଚାନ୍ଦଙ୍କ ଦେହରେ ଗୁଳି ବାଜିଛି ଏବଂ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ପ୍ରମାଣ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି। ତେବେ ଗୁଳି ଯୋଗୁଁ ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି। ଗତକାଲି ରାତିରେ ଜିଲ୍ଲା ମାଜିଷ୍ଟ୍ରେଟ ତ୍ୟାଗରାଜନ ଏସ୍‌ଏମ୍‌ ଓ ଏସ୍‌ଏସ୍‌ପି କାର୍ତ୍ତିକେୟ ଶର୍ମା ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରି ଏହା ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଏହି ହତ୍ୟାକାଣ୍ଡବେଳେ ଅନନ୍ତ ସିଂହ ଓ ତାଙ୍କ ଦୁଇ ସହଯୋଗୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କହିଛି। ଏହାପୂର୍ବରୁ ପୁଲିସ ତିନିଟି ଏତଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣା ସଂପର୍କରେ ନିର୍ବାଚନ ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ସବିଶେଷ ରିପୋର୍ଟ ମାଗିଛନ୍ତି।