କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଗିରଫ

ବେଙ୍ଗାଲୁରୁ : ୬୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ବିଶିଷ୍ଟ ଖଣି ବ୍ୟବସାୟୀ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ଆଜି ଗିରଫ କରାଯାଇଛି। ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ହିଁ ତାଙ୍କୁ ଗିରଫ କରାଯାଇଥିବା ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ (ସିସିବି)ର ଏସିପି ଆଲୋକ କୁମାର କହିଛନ୍ତି। ରେଡ୍ଡିଙ୍କ ସହଯୋଗୀ ମେହଫୁଜ୍‌ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି।

ବେଆଇନ ଭାବେ ପଞ୍ଜି ସ୍କିମ୍‌ ଦ୍ବାରା ଲୋକଙ୍କୁ ୬୦୦ କୋଟି ଟଙ୍କା ଠକିଥିଲା ଆମ୍ବିଡାଣ୍ଟ ମାର୍କେଟିଂ। ଏହି ସଂସ୍ଥାଠାରୁ ଲାଞ୍ଚ ନେବା ଅଭିଯୋଗରେ ବିଜେପି ନେତା ରେଡ୍ଡିଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ବେଆଇନ ଅର୍ଥ ଉଠାଣ ନିମନ୍ତେ ସ୍କାମ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ସହାୟତା ଏବଂ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ନଷ୍ଟ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ସମନ୍‌ ଜାରି କରାଯାଇଥିଲା। ଶନିବାର ହାଜର ହେବା ପରେ ତାଙ୍କୁ ରାତି ୨ଟା ୩୦ ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଜେରା ପରେ ସିସିବିର ପ୍ରତୀକ୍ଷା ଗୃହରେ ସେ ରାତି ବିତାଇଥିଲେ। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଛି। ସିସିବି ତଦନ୍ତରୁ ଜଣାପଡ଼ିଛି ଯେ ଇଡି ଅଧିକାରୀଙ୍କଠାରୁ ଆମ୍ବିଡାଣ୍ଟ ମାର୍କେଟିଂର ପ୍ରମୋଟର ସୟିଦ୍‌ ଅହମ୍ମଦ ଫରିଦଙ୍କୁ ବଞ୍ଚାଇବା ପାଇଁ ରେଡ୍ଡି ୧୮ କୋଟି ଟଙ୍କାର ୫୭ କିଲୋଗ୍ରାମ୍‌ ସୁନା ନେଇଥିଲେ। ଏହାପରେ ରେଡ୍ଡି ଓ ଖାନ୍‌ଙ୍କୁ ଜେରା ପାଇଁ ସମନ୍‌ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଆମ୍ବିଡାଣ୍ଟ ମାର୍କେଟିଂ ପ୍ରା. ଲି. ମାସକୁ ୩୦ରୁ ୪୦ ପ୍ରତିଶତ ରିଟର୍ଣ୍ଣ ଦେବ ବୋଲି କହି ନିବେଶକଙ୍କୁ ଆକୃଷ୍ଟ କରିଥିଲା। ଫଳରେ ଲୋକମାନେ ବିପୁଳ ପରିମାଣର ନିବେଶ କରିଥିଲେ। ତେବେ ଆହୁରି ଅଧିକ ଲୋକଙ୍କୁ ଟାଣିବା ପାଇଁ କମ୍ପାନି ପ୍ରାଥମିକ ନିବେଶକଙ୍କୁ ମୋଟା ରିଟର୍ଣ୍ଣ ଦେଇ ବିଶ୍ବାସ ଜନ୍ମାଇଥିଲା। ଏହାପରେ ଲୋକଙ୍କଠାରୁ ୬୦୦ କୋଟିରୁ ଅଧିକ ଟଙ୍କା ହାସଲ କରିଥିଲା। କିନ୍ତୁ ପୂର୍ବ ପ୍ରତିଶ୍ରୁତି ଅନୁସାରେ ରିଟର୍ଣ୍ଣ ଦେବା ତ ଦୂର କଥା ଲୋକଙ୍କ ମୂଳ ଜମା ମଧ୍ୟ ଫେରସ୍ତ କରିନଥିଲା। ଏହାପରେ କମ୍ପାନି ବିରୋଧରେ ଏତଲା ହୋଇଥିଲା। ୨୦୧୭ ଜାନୁଆରିରେ କମ୍ପାନି ଉପରେ ଇଡି ଚଢ଼ଉ କରିଥିଲା। ତେବେ ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ହାତକୁ ମାମଲା ସ୍ଥାନାନ୍ତର ହୋଇଥିଲା। କମ୍ପାନିର ଏହି ପଞ୍ଜି ସ୍କିମ୍‌ ଚଳାଉଥିବା ରମେଶ କୋଠାରିଙ୍କୁ ପଚରାଉଚରା ପରେ ସେ ରେଡ୍ଡି ଓ ତାଙ୍କ ସହଯୋଗୀ ଖାନ୍‌ଙ୍କ ପର୍ଦ୍ଦାଫାସ କରିଥିଲେ।

ସମ୍ବନ୍ଧିତ ଖବର