ଖଣି ବ୍ୟବସାୟୀ ତଥା ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଲାଞ୍ଚ ମାମଲାରେ କ୍ରାଇମ୍‌ବ୍ରାଞ୍ଚରେ ହାଜର ହେଲେ

ବେଙ୍ଗାଲୁରୁ: ଖଣି ବ୍ୟବସାୟୀ ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁଠାରେ କର୍ଣ୍ଣାଟକ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି। ଗତ ତିନିଦିନ ଧରି ନିଖୋଜ ଥିବା ଜନାର୍ଦ୍ଦନ ରେଡ୍ଡିଙ୍କ ଆଗୁଆ ଜାମିନ୍‌ ଆବେଦନ ଉପରେ ଶୁଣାଣିକୁ ଅଦାଲତ ସ୍ଥଗିତ ରଖିବା ପରେ ସେ କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିବା ଜଣାପଡ଼ିଛି। ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରୁ ମୁକ୍ତ କରିବା ଲାଗି ସେ ୧୮କୋଟି ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ କର୍ଣ୍ଣାଟକ କ୍ରାଇମ୍‌ବ୍ରାଞ୍ଚ ଖୋଜୁଥିଲା। ୪୮ଘଣ୍ଟା ମଧ୍ୟରେ କ୍ରାଇମବ୍ରାଞ୍ଚ ନିକଟରେ ପଚରାଉଚରା ଲାଗି ହାଜର ହେବାକୁ ତାଙ୍କୁ ନୋଟିସ୍‌ ହୋଇଥିଲା।

ବେଙ୍ଗାଲୁରୁ ପୁଲିସ କମିସନ୍‌ର ଟି ସୁନିଲ କୁମାରଙ୍କ କହିବା ଅନୁଯାୟୀ, ଜନାର୍ଦ୍ଦନ ରେଡି ନିଖୋଜ ଥିଲେ। ଆଜି ସେ ନିଜ ଆଡୁ ହାଜର ହୋଇଛନ୍ତି।

ସୂଚନା ଅନୁସାରେ, ସୟଦ ଅହମ୍ମଦ ଫରିଦ୍‌ ନାମକ ବ୍ୟବସାୟୀଙ୍କ ଠାରୁ ୧୮କୋଟି ଟଙ୍କା ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ସମ୍ମୁଖୀନ ହେବାରୁ ବଞ୍ଚାଇବା ପ୍ରତିଶ୍ରୁଥି ଦେଇଥିଲେ ରେଡ୍ଡି। ଏହି ଟଙ୍କା ସୁନା ଛାଡ଼ି ଆକାରିରେ ରେଡ୍ଡିଙ୍କୁ ପ୍ରଦାନ କରାଯାଇଥିଲା। ସଂପୃକ୍ତ ବ୍ୟବସାୟୀ ନିଜ ଚିଟ୍‌ଫଣ୍ଡ କମ୍ପାନି ଜରିଆରେ ପୁଞ୍ଜି ଲଗାଣକାରୀଙ୍କ ଠାରୁ ଶହଶହ କୋଟି ଟଙ୍କା ଠକି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର