କରୋନା ବିରୋଧରେ ଦେଶ ଏକଜୁଟ୍‌ ‘ଜନତା କର୍ଫ୍ୟୁ’ ଅଭୂତପୂର୍ବ

ତାଳି, ଥାଳି, ଘଣ୍ଟ ବଜାଇ ଧନ୍ୟବାଦ ଜଣାଇଲେ, ୭୫ ଜିଲ୍ଲାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଭାରତ କେତେ ଦୃଢ଼ ସଂକଳ୍ପ ତାହା ଆଜି ବିଶ୍ବକୁ ଦେଖାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ଆଜି ସମଗ୍ର ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ହୋଇଛି ଏବଂ ଏହାକୁ ଅଭୂତପୂର୍ବ ସମର୍ଥନ ମିଳିଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ‘ବନ୍ଦ’ ଦେଖିବାକୁ ମିଳିଛି। ଦେଶବାସୀ କରୋନା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ‘ଜନତା କର୍ଫ୍ୟୁ’ ପ୍ରମାଣିତ କରିଦେଇଥିବା ବେଳେ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇ ଲୋକେ ସେମାନଙ୍କ ଘର ସମ୍ମୁଖରେ, ବାଲ୍‌କୋନି ଏବଂ ଝରକା ନିକଟରେ ଛିଡ଼ା ହୋଇ ତାଳି, ଥାଳି ଓ ଘଣ୍ଟ ବଜାଇଥିଲେ। ଜନତା କର୍ଫ୍ୟୁ ଯୋ‌ଗୁଁ ଆଜି ସମଗ୍ର ଦେଶ ଠପ୍‌ ହୋଇଯାଇଛି। ଲୋକେ ଘରୁ ନ ବାହାରିବା ପାଇଁ ଆହ୍ବାନକୁ ସବୁ ବର୍ଗର ଲୋକେ ମାନିନେବାରୁ ଆଜି ସବୁ ଅଂଚଳ ଶୂନ୍‌ଶାନ ହୋଇଯାଇଥିଲା। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଘର ଭିତରେ ରହି ବିପଜ୍ଜନକ କରୋନା ଭାଇରସର ପ୍ରସାରକୁ ରୋକିବାରେ ସହାୟକ ହୋଇଥିଲେ। ପରିବହନ ସେବା ସମେତ ସମସ୍ତ ଦୋକାନ ବଜା, ସବୁ ପ୍ରତିଷ୍ଠାନ ବନ୍ଦରହିଥିଲା।

ରେଳ ସେବା, ମେଟ୍ରୋ ସେବା ଏବଂ ବସ୍‌ ସେବା ବନ୍ଦ ରହିବ
ଦେଶବ୍ୟାପୀ ୩୭୦ ଆକ୍ରାନ୍ତ

ଦେଶର ସମସ୍ତ ରାଜ୍ୟରେ ଜନସାଧାରଣ ‘ଜନତା କର୍ଫ୍ୟୁ’କୁ ବ୍ୟାପକ ସମର୍ଥନ ଦେଇଥିଲେ ଏବଂ ବ୍ୟବସାୟ ଓ ଉଦ୍ୟେଗ ଜଗତ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ କରିଥିଲା। ଆଗକୁ ମଧ୍ୟ ପରିସ୍ଥିତି ଦେଖି ଏଭଳି କର୍ଫ୍ୟୁ ପୁଣି ପାଳନ ହେବ ବୋଲି ବିଭିନ୍ନ ରାଜ୍ୟ ସରକାର ସଙ୍କେତ ଦେଇଛନ୍ତି। ତାମିଲନାଡ଼ୁ, ହରିୟାଣା, ମହାରାଷ୍ଟ୍ର ଏବଂ ଗୋଆ ଆଦି ରାଜ୍ୟ ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇ ଦେଇଛି। ଆଜି ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୦ ଛୁଇଁଥିବା ବେଳେ ମୋଟ ୭ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ କରୋନା ମହାମାରୀର ପ୍ରକୋପ ବଢ଼ୁଥିବାରୁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ପ୍ରଭାବିତ ୭୫ଟି ଜିଲ୍ଲାରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ଅବସରରେ କେବଳ ଜରୁରୀ ସେବା ଉପଲବ୍ଧ ହେବ। ରେଳ ସେବା, ବସ୍‌ ସେବା ଏବଂ ମେଟ୍ରୋ ସେବା ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ଆଜି କ୍ୟାବିନେଟ୍‌ ସଚିବ କରୋନା ମୁକାବିଲା ପାଇଁ ଏହି ଘୋଷଣା କରିଛନ୍ତି। ଦେଶର ଯେଉଁ ୭୫ ଜିଲ୍ଲାରେ କରୋନା ଆକ୍ରାନ୍ତ ରହିଛନ୍ତି ସେଠାରେ ଏହି କଟକଣା ଲାଗୁ ହେବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଯାତ୍ରା ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ କୌଣସି ଟ୍ରେନ୍‌ ଚାଲିବ ନାହିଁ। ରେଳବାଇ ଯାତ୍ରୀ ସେବାକୁ ନିଲମ୍ବନ କରିଥିବା ବେଳେ ମାଲ ଗାଡ଼ିଗୁଡ଼ିକୁ ଯଥାରୀତି ଚାଲିବ। ଅନ୍ୟପକ୍ଷରେ ମେଟ୍ରୋ ସର୍ଭିସ ବନ୍ଦ ରହିବ ଏବଂ ରାଜ୍ୟ ସରକାରମାନେ ଏ ବାବଦରେ ନିଷ୍ପତ୍ତି ନେବେ। ଇଣ୍ଟର ଷ୍ଟେଟ୍‌ ପାସେଂଜର ପରିବହନ ସେବାକୁ ମଧ୍ୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର