ପ୍ୟାରିସ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ସାରା ବିଶ୍ୱରେ ଜାନୁଆରି ସବୁଠାରୁ ଉତ୍ତପ୍ତ ଥିଲା। ୟୁରୋପୀୟ ସଂଘର କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଆଜି ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ୧୯୫୦ ମସିହାରୁ ଆଜି ପର୍ଯ୍ୟନ୍ତ ସି୩ଏସ୍ ରେକର୍ଡରେ ଜାନୁଆରି-୨୦୨୪ ଥିଲା ସବୁଠାରୁ ଉତ୍ତପ୍ତ ଜାନୁଆରି। ପୂର୍ବରୁ ୨୦୨୦ ଜାନୁଆରି ସବୁଠାରୁ ଉତ୍ତପ୍ତ ଥିବା ବେଳେ ୨୦୨୪ ଜାନୁଆରି ଏହାକୁ ଅତିକ୍ରମ କରିଯାଇଛି। ୧୮୫୦ ମସିହାରୁ ଆଜି ପର୍ଯ୍ୟନ୍ତ ବିଶ୍ୱ ରେକର୍ଡରେ ୨୦୨୩ ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହେବା ପରେ ୨୦୨୪-ଜାନୁଆରି ତାପମାତ୍ରା ଦୃଷ୍ଟିରୁ ଏକ ଅସାଧାରଣ ମାସ ଭାବେ ପରିଗଣିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ଭୂପୃଷ୍ଠ ଜଳକୁ ଉଷ୍ମ କରୁଥିବା ଏଲ୍ ନିନୋ ପାଣିପାଗ ସ୍ଥିତି ଜାନୁଆରି ତାପମାତ୍ରାରେ ବୃଦ୍ଧି ଘଟାଇଥିଲା।
୨୦୨୩ ଜୁନ୍ ପରଠାରୁ ପ୍ରତି ମାସ ପୂର୍ବବର୍ଷଗୁଡ଼ିକର ସମାନ ମାସ ତୁଳନାରେ ବିଶ୍ୱର ସବୁଠାରୁ ଉତ୍ତପ୍ତ ମାସ ହୋଇଆସିଛି । ସି୩ଏସ୍ ଉପନିର୍ଦେଶକ ଏସ୍. ବର୍ଗେସ୍ କହିଛନ୍ତି ଯେ ୧୮୫୦-୧୯୦୦ ମସିହାର ଜାନୁଆରି ହାରାହାରି ଆକଳନ ତୁଳନାରେ ଜାନୁଆରି-୨୦୨୪ ଅଧିକ ୧.୬୬ ଡିଗ୍ରି ସେଲସିୟସ ଉଷ୍ମ ଥିଲା। ବିଗତ ୧୨ ମାସ (ଫେବୃଆରି ୨୦୨୩ - ଜାନୁଆରୀ ୨୦୨୪) ରେ ବିଶ୍ୱର ହାରାହାରି ତାପମାତ୍ରା ରେକର୍ଡରେ ସର୍ବାଧିକ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ୧୯୯୧-୨୦୨୦ ହାରାହାରି ଠାରୁ ୦.୬୪ ଡିଗ୍ରି ସେଲସିୟସ ଅଧିକ ଏବଂ ୧୮୫୦-୧୯୦୦ ପ୍ରାକ୍-ଶିଳ୍ପ ହାରାହାରି ଠାରୁ ୧.୫୨ ଡିଗ୍ରି ସେଲସିୟସ ଅଧିକ । ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନରେ ଦ୍ରୁତ ହ୍ରାସ ହିଁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ରୋକିବାର ସି୩ଏସ୍ କହିଛି।
ଆମେରିକୀୟ ବୈଜ୍ଞାନିକମାନେ କହିଛନ୍ତି ଯେ ୨୦୨୪-ଜାନୁଆରି ପୂର୍ବର ୨୦୨୩ ରେକର୍ଡକୁ ଭାଙ୍ଗି ଅଧିକ ଗରମ ହେବାର ସମ୍ଭାବନା ଗତବର୍ଷର ଜଳବାୟୁ ସ୍ଥିତିରୁ ସ୍ପଷ୍ଟ ହୋଇଯାଇଥିଲା। ଗତ ମାସରୁ ଏଲ୍ ନିନୋ ଦୁର୍ବଳ ହେବାରେ ଲାଗିଛି ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ଏହା ଶୀତଳ ଲା ନିନାକୁ ରୂପାନ୍ତରିତ ହେବ। ୨୦୧୫ ପ୍ୟାରିସ୍ ଚୁକ୍ତିରେ ବିଶ୍ୱ ତାପମାତ୍ରା ୧.୫ ଡିଗ୍ରି ସେଲସିୟସ ଅତିକ୍ରମକୁ ରୋକିବା ପାଇଁ ଦେଶଗୁଡ଼ିକ ରାଜି ହୋଇଥିଲେ ମଧ୍ୟ ଏନେଇ ବିଶେଷ ସଫଳତା ମିଳିପାରିନାହିଁ। କିଛି ବୈଜ୍ଞାନିକ କହିଛନ୍ତି ଯେ ଏହି ଲକ୍ଷ୍ୟ ଆଉ ବାସ୍ତବରେ ପୂରଣ ହୋଇପାରିବ ନାହିଁ। ସେମାନେ ସରକାରମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏ ବାବଦ ଟାର୍ଗେଟ୍ ହାସଲ କରିବା ଏବଂ ମାରାତ୍ମକ ଗରମ, ମରୁଡ଼ି ଏବଂ ବଢୁଥିବା ସମୁଦ୍ରକୁ ଯଥାସମ୍ଭବ ସୀମିତ ରଖିବା ପାଇଁ ସିଓ୨ ନିର୍ଗମନ ହ୍ରାସ କରିବା ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ପଡ଼ିବ।