ଅଯୋଧ୍ୟା: ରାମମନ୍ଦିରରେ ଆଜି ପ୍ରାଣପ୍ରତିଷ୍ଠା ରୀତିନୀତି ପାଳନ କରି ଅଯୋଧ୍ୟାରେ ହଜାରହଜାର ଲୋକଙ୍କ ସମାଗମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅନେକ ଶତାବ୍ଦୀର ସଂଘର୍ଷ ପରେ ରାମଲାଲା ନିଜ ସିଂହାସନରେ ବିରାଜମାନ କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟର ୪ ବର୍ଷ ପରେ ରାମମନ୍ଦିର ଉଦ୍‌ଘାଟନର ଆଧ୍ୟାତ୍ମିକ ଅନୁଭୂତିରୁ ସେ ଏବେ ବି ଶିହରଣ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଏକ ଭାବପୂର୍ଣ୍ଣ ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମ ଏକ ବିବାଦ ନୁହେଁ ବରଂ ଏକ ସମାଧାନ।ପ୍ରାଣପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ପାଖାପାଖି ୮,୦୦୦ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ସାଧୁସନ୍ଥ, ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡ଼ିତ ଲୋକ ଏବଂ ସେଲିବ୍ରିଟିମାନେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ, ଆମ ରାମ ଆସିଛନ୍ତି! ରାମଲାଲା ଏବେ ଆଉ ତମ୍ବୁରେ ରହିବେ ନାହିଁ। ସେ ଭବ୍ୟ ମନ୍ଦିରରେ ରହିବେ।

Advertisment

ରାମ ହେଉଛନ୍ତି ଭାରତୀୟ ସମ୍ବିଧାନର ଆତ୍ମା
ରାମ ଏକ ବିବାଦ ନୁହେଁ ବରଂ ଏକ ସମାଧାନ
ମନ୍ଦିର ଶାନ୍ତି, ସଦ୍‌ଭାବନା ଓ ଧୈର୍ଯ୍ୟର ପ୍ରତୀକ

ଜାନୁଆରି ୨୨ର ସୂର୍ଯ୍ୟୋଦୟ ଏକ ଚମତ୍କାର ଚମକ ଆଣିଛି। ଜାନୁଆରି ୨୨, ୨୦୨୪, କ୍ୟାଲେଣ୍ଡରରେ ଲିଖିତ ତାରିଖ ନୁହେଁ। ଏହା ଏକ ନୂତନ ସମୟଚକ୍ରର ଉତ୍ପତ୍ତି। ରାମମନ୍ଦିର ନିର୍ମାଣ ଭାରତୀୟ ସମାଜର ପରିପକ୍ୱତାର ପ୍ରତିଫଳନ। ଏହା କେବଳ ବିଜୟ ନୁହେଁ ବରଂ ନମ୍ରତାର ମଧ୍ୟ ଏକ ଅବସର। ଆମେ ଏହି ମୁହୂର୍ତ୍ତରୁ ଏକ ସକ୍ଷମ, ଭବ୍ୟ, ଦିବ୍ୟ ଭାରତ ଗଠନ ପାଇଁ ଶପଥ ନେଇଛୁ। ରାମ ମନ୍ଦିର-ବାବ୍ରି ମସଜିଦ ବିବାଦର ଐତିହାସିକ ରାୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ନ୍ୟାୟପାଳିକାକୁ ପ୍ରଶଂସା କରି କହିଛନ୍ତି ଯେ, ସେମାନେ ନ୍ୟାୟକୁ ସୁନିଶ୍ଚିତ କରିଛନ୍ତି। ‘ଆଜି ମୁଁ ଭଗବାନ ଶ୍ରୀରାମଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି। ଆମର ପ୍ରୟାସ, ତ୍ୟାଗ ଏବଂ ତପସ୍ୟାରେ ନିଶ୍ଚୟ କିଛି ଅଭାବ ଥିବ ଯାହାଫଳରେ ଆମେ ଏତେ ଶତାବ୍ଦୀ ଧରି ଏହି କାର୍ଯ୍ୟ କରିପାରିଲୁ ନାହିଁ। ଆଜି ଏହି କାମ ଶେଷ ହୋଇଛି। ମୁଁ ବିଶ୍ୱାସ କରେ ଯେ ଭଗବାନ ଶ୍ରୀରାମ ଆଜି ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଶକ୍ତି ଉତ୍ପନ୍ନ କରିବ- ଏହା ଶାନ୍ତି, ସଦ୍‌ଭାବନା ଓ ଧୈର୍ଯ୍ୟର ପ୍ରତୀକ ବୋଲି ମୋଦୀ କହିଛନ୍ତି।

publive-image

ସାଷ୍ଟାଙ୍ଗ ପ୍ରଣାମ କଲେ ମୋଦୀ

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ଠାରେ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୃଢ଼ ଭକ୍ତିର ନିଦର୍ଶନ ସ୍ବରୂପ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ। ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ପ୍ରଧାନମନ୍ତ୍ରୀ ଆଜି ରାମଲାଲାଙ୍କ ଆଖିରେ ବନ୍ଧା ଯାଇଥିବା ପଟି ଖୋଲିଥିଲେ। ସାମାଜିକ ଗଣମାଧ୍ୟମ‌ ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ୍‌ କରିଛନ୍ତି, ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ ପ୍ରତ୍ୟେକଙ୍କ ପାଇଁ ଏକ ଭାବପ୍ରବଣତାର ମୁହୂର୍ତ୍ତ। ଉକ୍ତ ଅଦ୍ବିତୀୟ କାର୍ଯ୍ୟର ଅଂଶବିଶେଷ ହେବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

publive-image

୩୨ ବର୍ଷ ପରେ ଭବ୍ୟ ରାମମନ୍ଦିର ସମ୍ମୁଖରେ, ପୋଜ୍ ଦେଲେ ଉମା ଭାରତୀ

ଅଯୋଧ୍ୟା: ରାମ ମନ୍ଦିର ଆନ୍ଦୋଳନରେ ଅଗ୍ରଣୀ ଭୂମିକାରେ ଥିବା ଫାୟାରବ୍ରାଣ୍ଡ ବିଜେପି ନେତ୍ରୀ ଉମା ଭାରତୀ ଆଜି ଅଯୋଧ୍ୟାରେ ପହଞ୍ଚି ଭାବବିହ୍ବଳ ହୋଇପଡ଼ିଥିଲେ। ସେ ୩୨ ବର୍ଷ ୪୬ ଦିନ ପୂର୍ବେ ଏହି ପବିତ୍ର ସହରରେ ଥିଲେ। ସେହିଦିନ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ। ଉମା ଭାରତୀଙ୍କ ପାଇଁ ଆଜି ଘଡି ପଛକୁ ମୁହାଁଇଥିଲା। ଆଜି ପ୍ରାଣ ପ୍ରତିଷ୍ଠା ସମାରୋହରେ ମନ୍ଦିର ଆନ୍ଦୋଳନର ଅନ୍ୟ ଜଣେ ପ୍ରମୁଖ ନେତ୍ରୀ ସାଧ୍ୱୀ ଋତାମ୍ଭରାଙ୍କୁ ଉମା ଆଲିଙ୍ଗନ କରିବା ସହ ଫଟୋ ପାଇଁ ପୋଜ୍‌ ଦେଇଥିଲେ। ଦେଶବାସୀଙ୍କର ଏକ ବିରାଟ ସ୍ବପ୍ନ ଆଜି ପୂରଣ ହୋଇଥିବା ସେମାନେ କହିଛନ୍ତି।

ସରଯୂ ଘାଟରେ ଦୀପୋତ୍ସବ
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶବ୍ୟାପୀ ଆଜି ରାମଜ୍ୟୋତି ଜଳିଛି। ଏହା ଦୀପାବଳି ପାଳନ ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମଧ୍ୟ ଆଜି ଦୀପାବଳି ପାଳନ ଭଳି ଦେଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସଂପୂର୍ଣ୍ଣ ଆବାସ ପରିସରରେ ଦୀପ ଜଳୁଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜେ ଦୀପ ପ୍ରଜ୍ବଳନ କରିଛନ୍ତି। ଆଜି ସନ୍ଧ୍ୟାରେ ସରଯୂ ନଦୀ ଘାଟରେ ଦୀପୋତ୍ସବ ପାଳନ ହେଉଛି। ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜାନକୀ ମନ୍ଦିର, ଜନକପୁର ଧାମ, ହନୁମାନଗଡିରେ ମଧ୍ୟ ଦୀପୋତ୍ସବ ପାଳନ ହେଉଛି। ଦେଶବାସୀ ମଧ୍ୟ ‌ଦୀପ ଜାଳି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଆନନ୍ଦ ଓ ଉତ୍ସବ ପର୍ବରେ ସାମିଲ ହୋଇଛନ୍ତି।

publive-image

ଜଟାୟୁ ମୂର୍ତ୍ତି ଅନାବରଣ, କୁବେରଟିଲା ଶିବ ମନ୍ଦିରରେ ପୂଜାର୍ଚ୍ଚନା

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ରାମ ମନ୍ଦିର ପରିସରରେ ନିର୍ମିତ ଜଟାୟୁ ମୂର୍ତ୍ତିର ଅନାବରଣ କରିଛନ୍ତି। ଜଟାୟୁଙ୍କ ମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରାଚୀନ କୁବେରଟିଲା ଶିବ ମନ୍ଦିରରେ ପୂଜାର୍ଚ୍ଚନା ଓ ଜଳାଭିଷେକ କରିଛନ୍ତି। ଏଥିସହିତ ମନ୍ଦିର ପରିକ୍ରମା କରିଥିଲେ। ଏହା ଏକ ପ୍ରାଚୀନ ଶିବ ମୂର୍ତ୍ତି। ଶ୍ରୀରାମ ମନ୍ଦିର ନିର୍ମାଣ ସହିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉକ୍ତ ଶିବ ମନ୍ଦିରର ମଧ୍ୟ ପୁନଃନିର୍ମାଣ କରିଛି। ଏଠାକୁ ଧନର ଦେବତା କୁବେର ଆସିଥିଲେ ଏବଂ ଭଗବାନ ଶଙ୍କରଙ୍କର ପୂଜାର୍ଚ୍ଚନା ପାଇଁ ଲିଙ୍ଗ ସ୍ଥାପନ କରିଥିବା ବିଶ୍ବାସ ରହିଛି।