ନୂଆ ସିବିଆଇ ମୁଖ୍ୟ ବାଛିବାକୁ ୨୪ରେ ବୈଠକ

ନୂଆଦିଲ୍ଲୀ: କିଏ ହେବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦେଶକ। ଏଥିଲାଗି ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‌ତିନି ଜଣିଆ ଉଚ୍ଚ କ୍ଷମତାସଂପନ୍ନ ମନୋନୟନ କମିଟିର ବୈଠକ ବସିବ। କମିଟିର ଅନ୍ୟ ଦୁଇ ଜଣ ସଭ୍ୟ ହେଲେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏବଂ ଲୋକସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଗତ ୧୦ ତାରିଖ ଠାରୁ ସିବିଆଇ ନିର୍ଦେ‌ଶକ ପଦ ଖାଲି ପଡ଼ିଛି। ମନୋନୟନ କମିଟି ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ହଟାଇଥିଲା। ତାଙ୍କ ସ୍ଥାନରେ ନାଗେଶ୍ବର ରାଓ ଅସ୍ଥାୟୀ ନିର୍ଦେଶକ ପଦରେ ରହିଛନ୍ତି। ତେବେ ଅସ୍ଥାୟୀ ନିର୍ଦେଶକ ପଦ ବୋଲି କିଛି ନାହିଁ, ତେଣୁ ତୁରନ୍ତ ସ୍ଥାୟୀ ନିର୍ଦେଶକଙ୍କୁ ନିଯୁକ୍ତି ମିଳୂ ବୋଲି ଦାବି କରି ଗତକାଲି ଖ‌ଡ଼‌େଗ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାଛଡ଼ା ନା‌ଗେଶ୍ବରଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ପିଟିସନ ମଧ୍ୟ ଦାଖଲ ହୋଇଛି। ସୁପ୍ରିମ କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ତେଣୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଆସନ୍ତା ୨୪ ତାରିଖ ଦିନ ମନୋନୟନ କମିଟି ବୖଠକ ଡକାଯାଇଛି। ୨୧ ତାରିଖରେ ବୈଠକ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଖଡ଼‌େଗ ୨୪ ତାରିଖ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। ମିଳିଥିବା ରିପୋର୍ଟ ଅନୁଯାୟୀ ସ୍ବରାଷ୍ଟ୍ର ବିଭାଗ ୧୯୮୩, ୧୯୮୪ ଏବଂ ୧୯୮୫ ବ୍ୟାଚର ସବୁଠାରୁ ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଏଥିରେ ୧୭ ଜଣ ଅଧିକାରୀଙ୍କର ନାମ ରହିଛି। ଏହି ତାଲିକାକୁ କର୍ମଚାରୀ ନିଯୁକ୍ତି ଓ ତାଲିମ ବିଭାଗକୁ ଯାଞ୍ଚ ପାଇଁ ପଠାଯିବ। ଏହି ଅଧିକାରୀମାନଙ୍କର ବରିଷ୍ଠତା, ସ୍ବଚ୍ଛତା ଏବଂ ଦୁର୍ନୀତି ବିରୋଧୀ ତଦନ୍ତରେ ଅଭିଜ୍ଞତା ରେକର୍ଡ ଯାଞ୍ଚ କରାଯାଇ ସର୍ଚ କମିଟିରେ ତିନି ଜଣଙ୍କ ନାମର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ୨୪ ତାରିଖରେ ମନୋନୟନ କମିଟି ବୈଠକରେ ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ସିବିଆଇ ନିର୍ଦେଶକ ନିଯୁକ୍ତି ଦିଆଯିବ। ସିବିଆଇ ନିର୍ଦେଶକ ପଦ ଲାଗି ଯେଉଁ କେତେ ଜଣ ଆଇପିଏସ୍ ମାନଙ୍କର ନାମ ଶୁଣାଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ୱାଇସି ମୋଦୀ। ସେ ନେସନାଲ ଇ‌ନଭେଷ୍ଟିଗେଟିଂ ଏଜେନ୍ସି (ଏନଆଇଏ)ର ମହାନିର୍ଦେଶକ ବା ଡିଜି ଅଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୨ ଗୁଜରାଟ ଦଙ୍ଗାର ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଯେଉଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଥିଲେ ସେଥିରେ‌ ୱାଇସି ମୋଦୀ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର