ପାଟନା/ ମୁଜାଫରପୁର: ବିହାରର ମୀନାପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି (ଶନିବାର) ବାହୁବଳୀ ତଥା ଜନ ଅଧିକାର ପାର୍ଟିର ନେତା ତଥା ପ୍ରଗତିଶୀଳ ଡେମୋକ୍ରାଟିକ୍ ଆଲାଇନ୍ସ (ପିଡିଏ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପପୁ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ମଞ୍ଚଟି ଭୁଶୁଡ଼ି ପଡ଼ିବାରୁ ଶ୍ରୀ ଯାଦବ ଗୁରୁତର ଭାବେ ଆହତ ହୋଇଛନ୍ତି। ମଞ୍ଚ ଭୁଶୁଡ଼ିବା ଫଳରେ ମଞ୍ଚ ଉପରେ ଥିବା ପପୁ ଯାଦବ ତଳେ ପଡ଼ିଯିବାରୁ ତାଙ୍କ ହାହାଣ ହାତ ଭାଙ୍ଗି ଯାଇଛି। ପରେ ଆହତ ଶ୍ରୀ ଯାଦବଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
#WATCH: Stage collapses at Jan Adhikar Party leader Pappu Yadav's campaign rally in Muzaffarpur's Minapur Assembly Constituency.#BiharElections2020 pic.twitter.com/pZIfEINAm1
— ANI (@ANI) October 31, 2020
ଗଣମାଧ୍ୟମ ସୂତ୍ରରୁ ହସ୍ତଗତ ହୋଇଥିବା ଏହି ଘଟଣାର ଏକ ଭିଡିଓ ଚିତ୍ରରେ ଦେଖିବାକୁ ମିଳିଛି ଯେ ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ନେତା ପପୁ ଯାଦବ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମଞ୍ଚଟି ଭୁଶୁଡ଼ି ପଡ଼ିଥିଲା। ଏବଂ ଶ୍ରୀ ଯାଦବ ମଞ୍ଚ ଉପରୁ ତଳକୁ ଖସି ପଡ଼ିଥିଲେ। ଏ ଘଟଣା ଦେଖିବା ପରେ ସମର୍ଥକମାନେ ତତକ୍ଷଣାତ୍ ତାଙ୍କ ନିକଟକୁ ଦୌଡ଼ି ଯାଇ ତାଙ୍କୁ ତଳୁ ଉଠାଇ ଥିଲେ।
ଏହି ଘଟଣା ପରେ ପପୁ ଯାଦବ ଏକ ଟୁଇଟରେ କହିଛନ୍ତି, ମୀନାପୁରରେ ଏଭଳି ଲୋକଙ୍କ ସମୁଦ୍ର ଏକାଠି ହୋଇଥିଲା। ପ୍ରଶାସନିକ ଅବହେଳା ହେତୁ ସେଠାରେ ମଞ୍ଚ ଭାଙ୍ଗିଗଲା ମୋର ଡାହାଣ ହାତ ଭାଙ୍ଗି ଯାଇଛି। ତଥାପି ମୁଁ ଓହରି ଯିବି ନାହିଁ। ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବି ଓ ପରିବର୍ତ୍ତନ ପାଇଁ ମୋ ଅଭିଯାନ ଜାରି ରହିବ।
#WATCH Bihar: Congress candidate from Jale assembly seat Mashkoor Ahmad Usmani falls as the stage collapsed during his address at a political rally in Darbhanga.#Biharpolls pic.twitter.com/G2R5914wSe
— ANI (@ANI) October 29, 2020
ତେବେ, ବିହାରରେ ଏହା ପ୍ରଥମ ଘଟଣା ନୁହେଁ; ଯେଉଁଠାରେ ଏକ ନିର୍ବାଚନ ରାଲିରେ ମଞ୍ଚ ଭୁଶୁଡି ପଡିଛି। ଗତ ସପ୍ତାହରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ମଶକୋର ଅହମ୍ମଦ ଉସମାନି ଦାରଭଙ୍ଗା ଠାରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ମଞ୍ଚଟି ମଧ୍ୟ ଭୁଶୁଡ଼ି ପଡ଼ିଥିଲା।