ରୁଷ ସହ ଭାରତର ସମ୍ପର୍କ କ୍ବାଡକୁ ଲକ୍ଷ୍ୟଚ୍ୟୁଚ କରିବ ନାହିଁ : ଜାପାନ, ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତକୁ ସମାଲୋଚନା କରିଥିବାବେଳେ କ୍ବାଡର ଅନ୍ୟ ଦୁଇ ସଦସ୍ୟ ଜାପାନ ଓ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିଛନ୍ତି । ଉଭୟ ଦେଶ କହିଛନ୍ତି ଯେ ରୁଷ ପ୍ରତି ଭାରତର ଆଭିମୁଖ୍ୟ କ୍ବାଡକୁ ନିଜର ମୂଳ ଲକ୍ଷ୍ୟଠାରୁ ଦୂରେଇ ନେଇପାରିବ ନାହିଁ । ନିକଟରେ ଭାରତର ପ୍ରଧାନମନ୍ତ୍ରୀ ଫୋମିଓ କିସିନ୍ଦା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ରୁଷ ବିରୋଧରେ ଯିବାକୁ ଭାରତ ଉପରେ କୌଣସି ଚାପ ପ୍ରୟୋଗ କରିନଥିଲେ ।

ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଆଧିପତ୍ୟର ମୁକାବିଲା କରିବା ଲାଗି କ୍ବାଡ୍ ମେଣ୍ଟ ଗଠନ କରାଯାଇଛି । ଏଥିରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସଦସ୍ୟ ଅଛନ୍ତି । ତେବେ ୟୁକ୍ରେନ ପ୍ରସଙ୍ଗରେ ଭାରତ ବ୍ୟତୀତ କ୍ବାଡର ଅନ୍ୟ ତିନି ସଦସ୍ୟ ରୁଷ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବା ସହ କଟକଣା ଲଗାଇଛନ୍ତି । କିନ୍ତୁ ଭାରତ ରୁଷର ଆକ୍ରମଣକୁ ନିନ୍ଦା କରୁନାହିଁ ।

ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତର ଏପର୍ଯ୍ୟନ୍ତ ଦୃଢ଼ ପ୍ରତିକ୍ରିୟା ଆସିପାରିନଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଭାରତର ପ୍ରତିକ୍ରିୟା ଦୁର୍ବଳ ରହିଛି। ଜାପାନ ଏବଂ ଅଷ୍ଟ୍ରେଲିଆ ରୁଷର ୟୁକ୍ରେନ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଥିବା ବେଳେ ଭାରତ ସିଧାସଳଖ ଏଭଳି କରିନାହିଁ ।

 

ସମ୍ବନ୍ଧିତ ଖବର