ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଜାପାନ ବୁଲେଟ ଟ୍ରେନ୍‌

ଟୋକିଓ: ଯାତ୍ରୀ ପରିବହନର ସର୍ବଶ୍ରେଷ୍ଠ ମାଧ୍ୟମ କୁହାଯାଉଥିବା ଜାପାନର ଏକ ବୁଲେଟ ଟ୍ରେନ ଆଜି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ପ୍ରଥମ ଥର ଲାଗି ବୁଲେଟ୍‌ ଟ୍ରେନ୍‌ରେ ଏଭଳି ତ୍ରୁଟିକୁ ଅତି ଗୁରୁତର ସହ ଗ୍ରହଣ କରାଯାଇଛି। ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଲେଟ୍‌ ଟ୍ରେନ୍‌ ଲାଇନଚ୍ୟୁତ ହେବାର ସମସ୍ତ ସମ୍ଭାବନା ଥିଲା। ତେବେ ବୁଲେଟ୍‌ ଟ୍ରେନ୍‌କୁ ନେଇ ଏଭଳି ଘଟଣା ଜାପାନରେ ହଇଚଇ ସୃଷ୍ଟି କରିଛି । ଦକ୍ଷିଣ ଜାପାନ୍‌ରୁ ଯାତ୍ରା ଆରମ୍ଭ କରିଥିବା ସିଙ୍କାନସେନ୍‌ ବୁଲେଟ ଟ୍ରେନ୍‌ରୁ ପ୍ରଥମେ ପୋଡ଼ା ବାସ୍ନା ଆସିଥିଲା ଏବଂ ଅସ୍ୱାଭାବିକ ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ କେନ୍ଦ୍ରୀୟ ଜାପାନ୍‌ର ନାଗୋୟା ଷ୍ଟେସନ୍‌ ନିକଟରେ ଟ୍ରେନ୍‌ଟିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଏକ କ୍ୟାରେଜ୍‌ ତଳେ ଥିବା ଚେସିସ୍‌ରେ ତ୍ରୁଟି ରହିଛି ଏବଂ ତେଲ ଲିକ୍‌ ହେଉଛି। ଯଦି ଟ୍ରେନ୍‌ଟି ଏଭଳି ପରିସ୍ଥିତିରେ ଆହୁରି ଅଧିକ ବାଟ ଚାଲିଥାନ୍ତା ତେବେ ଟ୍ରେନ୍‌ ଲାଇନଚ୍ୟୁତ ହେବା ଅବଶ୍ୟମ୍ଭାବୀ ଥିଲା। ଉକ୍ତ ବୁଲେଟ୍‌ ଟ୍ରେନ୍‌ରେ ଥିବା ସମସ୍ତ ୧୦୦୦ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ୧୯୬୪ ମସିହାରେ ଆରମ୍ଭ ହୋଇଥିବା ସିଙ୍କାନସେନ୍‌ ବୁଲେଟ୍‌ ଟ୍ରେନ୍‌ ଏ ଯାବତ କୌଣସି ଦୁର୍ଘଟଣାର ଶିକାର ହୋଇନାହିଁ।

ସମ୍ବନ୍ଧିତ ଖବର