‘ମୃତ୍ୟୁ ଯନ୍ତା’ ଜାପାନ୍‌ କ୍ରୁଜ୍‌! ଫସିଛନ୍ତି ୩୭୧୧ ଯାତ୍ରୀ, ୬୨୧ ଆକ୍ରାନ୍ତ

ଆକ୍ରାନ୍ତ ଭାରତୀୟଙ୍କ ସଂଖ୍ୟା ୭ରେ ପହଞ୍ଚିଲା, ଯାତ୍ରୀଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ

ଟୋକିଓ : କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟି ଯାଇଥିବା ଜାପାନ୍‌ର ‘ଡାଏମଣ୍ଡ୍‌ ପ୍ରିନ୍ସେସ’ କ୍ରୁଜ୍‌ରୁ ଆଜି ଯାତ୍ରୀମାନଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜାହାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୧ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କୁ ସୁରକ୍ଷିତ ବାହାରକୁ ଆଣିବାରେ ଅହେତୁକ ବିଳମ୍ବ ଯୋଗୁଁ ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ଫେବ୍ରୁଆରି ୧ରେ ଜାପାନ ତଟରେ ଲାଗିଥିବା ଏହି ଜାହାଜରେ କେବଳ ଜଣେ ଆକ୍ରାନ୍ତଙ୍କ ପାଇଁ ସମଗ୍ର ଜାହାଜ ସଂକ୍ରମିତ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି। ଆଜି ପୁଣି ଜଣେ ଭାରତୀୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ଏହି କ୍ରୁଜ୍‌ରେ ସମୁଦାୟ ୭ ଜଣ ଭାରତୀୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। କ୍ରୁଜ୍‌ରେ ‌ମୋଟ ୩,୭୧୧ ଜଣ ଯାତ୍ରୀ ଅଛନ୍ତି ଏବଂ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଜାପାନ ସେନା ବାହାରକୁ ଆଣି ଏକ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖୁଛି।

ଗତକାଲି ଓ ଆଜି ଏହି କ୍ରୁଜ୍‌ରେ ୮୮ ନୂଆ କରୋନା ଆକ୍ରାନ୍ତ ମାମଲା ଆସିଥିବାରୁ ଏହାକୁ ନେଇ ବ୍ରିଟେନ୍‌, ଆମେରିକା ଓ କାନାଡ଼ା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜାପାନ ସରକାର ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। କ୍ରୁଜ୍‌ରେ ଯେଉଁମାନଙ୍କ ଶରୀରରେ ଭାଇରସ୍‌ ନଥିବା ଜଣାପଡ଼ିଛି ସେମାନଙ୍କୁ ତତ୍କାଳ ଖାଲି କରାଯାଉଛି। ଆଜି ପ୍ରାୟ ୫୦୦ ଯାତ୍ରୀଙ୍କୁ କ୍ରୁଜ୍‌ରୁ ଖାଲି କରାଯାଇଛି। ଗତ ସୋମବାର ଦିନ ଆମେରିକା ଏହାର ୩୪୦ ନାଗରିକଙ୍କୁ ଖାଲି କରିଥିଲା। ଅଷ୍ଟ୍ରେଲିଆ, କାନାଡ଼ା ଏବଂ ବ୍ରି‌ଟେନ୍‌ ମଧ୍ୟ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଗତ ସୋମବାର ଦିନ କ୍ରୁଜ୍‌ ଛାଡ଼ିଥିବା ଆମେରିକୀୟ ନାଗରିକଙ୍କ ମଧ୍ୟରୁ ୧୪ ଜଣଙ୍କ ଶରୀରରେ ଭାଇରସ୍‌ ଲକ୍ଷଣ ଦେଖାଦେଇଛି।

ସମ୍ବନ୍ଧିତ ଖବର