ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ନରା ସହରରେ ଭାଷଣ ଦେଉଥିବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଆକ୍ରମଣକାରୀ ଦୁଇଟି ଗୁଳି ଚଳାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା।
ତାଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେ ଆଖି ବୁଜିଦେଇଛନ୍ତି | ସୂଚନା ମୁତାବକ ଆଜି ‘ୟାମାତୋ ସାଇଡାଇଜି ଷ୍ଟେସନ୍’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ଆକ୍ରମଣର ଶିକାର ହୋଇଥିଲେ। ତେବେ ଏହି ଘଟଣା ପରେ ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରାଯାଇଛି |
ତେବେ ସିଞ୍ଜୋଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ହୃତପିଣ୍ଡ କାମ ବନ୍ଦ କରିଦେଇଥିଲା ଏବଂ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ୬୭ ବର୍ଷୀୟ ସିଞ୍ଜୋ ଆବେ ଜାପାନର ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ। ସେ ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ପୁନର୍ବାର ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତା’ପରେ ତାଙ୍କ ପିତା ମଧ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4b7118d8-f79b-4ab9-84fe-80e4cd0ef019.jpg)