ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଗତ ଏପ୍ରିଲ୍ରେ ଜାପାନ୍ ଗସ୍ତ କରିବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଜିନ୍ପିଙ୍ଗ୍ଙ୍କ ଗସ୍ତ ବାତିଲ କରାଯାଇଥିଲା। ଏବେ ପୁଣି ଜିନ୍ପିଙ୍ଗ୍ଙ୍କ ଜାପାନ ଗସ୍ତକୁ ଜାପାନ୍ରେ ତୀବ୍ର ବିରୋଧ କରାଯାଇଛି। ଜିନ୍ପିଙ୍ଗ୍ଙ୍କ ଜାପାନ ଗସ୍ତ ସମ୍ପୂର୍ଣ୍ଣ ଅଟକି ଯାଇପାରେ ବୋଲି ଜଣାପଡ଼ିଛି। ଜାପାନ୍ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଲିବରାଲ୍ ଡିମୋକ୍ରାଟିକ୍ ପାର୍ଟିରେ ଜିନ୍ପିଙ୍ଗ୍ଙ୍କ ଗସ୍ତକୁ ତୀବ୍ର ବିରୋଧ କରାଯାଇଛି। ପୂର୍ବରୁ ଜାପାନ-ଚୀନ୍ ମଧ୍ୟରେ ବିବାଦ ରହିଥିଲା। କିନ୍ତୁ ନିକଟରେ ଚୀନ୍ ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ବିଷୟ ଜାପାନ୍ ସାଂସଦମାନଙ୍କୁ ଚିନ୍ତାରେ ପକାଇଛି। ଜାପାନ୍ ଭୟ କରୁଛି ଯେ ଯଦି ଚୀନ୍ ଜାତୀୟ ସୁରକ୍ଷା ଆଇନ ଚଳିତ ସପ୍ତାହରୁ କାର୍ଯ୍ୟକାରୀ ହୁଏ ତେବେ ଏହା ଜାପାନ୍ ଲୋକ ଏବଂ ହଂକଂରେ ଥିବା କମ୍ପାନିମାନଙ୍କର ଅଧିକାର କ୍ଷୁଣ୍ଣ କରିବା।
ଚୀନ୍ ଏହାର କୂଟନୈତିକ ଚାଲ୍ ବଳରେ କରୋନା ମହାମାରୀକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ବୈଶ୍ବିକ ଆର୍ଥିକ ପେଣ୍ଠସ୍ଥଳି ହଂକଂରେ ନିଜର ପତିଆରା ସୁଦୃଢ଼ କରିବାକୁ ଚାହିଛି। କିନ୍ତୁ ହଂକଂରେ ପ୍ରାୟ ୧୪୦୦ ଜାପାନ୍ କମ୍ପାନି ରହିଛି। ଏବେ ଚୀନ୍ର ଜାତୀୟ ସୁରକ୍ଷା ଆଇନ ଜାପାନ୍ ବାଣିଜ୍ୟ ସମ୍ପ୍ରଦାୟ ପାଇଁ ଏକ ବଡ଼ ବିପଦ ହେବ। ଏଥିପାଇଁ ଜାପାନ୍ରେ ଜିନ୍ପିଙ୍ଗ୍ଙ୍କୁ ବିରୋଧ କରାଯାଇଛି। ଅନ୍ୟପକ୍ଷେ ପୂର୍ବ ଚୀନ୍ ସାଗରରେ ଥିବା ସେନ୍କାକୁ ଦ୍ବୀପ ନିକଟସ୍ଥ ଜଳରାଶିକୁ ଚୀନ୍ ଲଗାତାର ଯୁଦ୍ଧ ଜାହାଜ ପଠାଉଛି। ଚଳିତ ବର୍ଷ ଏପ୍ରିଲ୍ ମାସଠାରୂ ଏଯାବତ୍ ଜାପାନ୍ ଏହି ଅଞ୍ଚଳରେ ଚୀନ୍ ତଟରକ୍ଷୀ ବାହିନୀର ୬୭ଟି ଜାହାଜକୁ ଦେଖିଛି। ପୂର୍ବ ଚୀନ୍ ସାଗର ଦ୍ବୀପରେ ଚୀନ୍ର ଏଭଳି ବ୍ୟବହାର ପାଇଁ ଅଞ୍ଚଳରେ ଶାନ୍ତି ନଷ୍ଟ ହୋଇଛି ବୋଲି ଜାପାନ କହିଛି। ଚୀନ୍ର ଏଭଳି ଆକ୍ରମଣାତ୍ମକ କାର୍ଯ୍ୟ ପାଇଁ ଜାପାନ୍ ସରକାର ଚୀନ୍ ବିରୋଧରେ ଆଭିମୁଖ୍ୟ କଠୋର କରିଛନ୍ତି। ତେଣୁ ଜିନ୍ପିଙ୍ଗ୍ଙ୍କ ଜାପାନ ଗସ୍ତ ବାତିଲ ହେବ ବୋଲି କୁହାଯାଇଛି।