ଟୋକିଓ: ନୂଆବର୍ଷରେ ଆଜି ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ପ୍ରଥମେ ୭.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଅଳ୍ପ ସମୟ ବ୍ୟବଧାନରେ ଏକାଧିକ ଭୂକମ୍ପ ହୋଇଥିଲା। ବାରମ୍ବାର ଭୂକମ୍ପ ଝଟ୍କାରେ ଜାପାନ ଥରି ଉଠିଛି। ସମୁଦ୍ରରେ ୫ ଫୁଟର ସୁନାମୀ ସୃଷ୍ଟି ସତର୍କତା ଜାରି ହୋଇଛି ହୋଇଛି। ଦେଶର ଉତ୍ତରପଶ୍ଚିମ କୂଳରେ ବାସ କରୁଥିବା ଲୋକଙ୍କୁ ସୁନାମୀ ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜାପାନ ପାଣିପାଗ ସଂସ୍ଥା (ଜେଏମ୍ଏ)ର ସୂଚନା ଅନୁଯାୟୀ, ଇସାକାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସିଗାୱାର ନୋଟୋଠାରେ ରହିଥିଲା। ରାଜଧାନୀ ଟୋକିୟୋଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୩୦୦ କିମି।
ଭୂକମ୍ପ କେନ୍ଦ୍ରର ୩୦୦ କିମି ପରିବ୍ୟାପ୍ତ ଅଞ୍ଚଳ ପାଇଁ ସୁନାମୀ ସତର୍କତା ଜାରି କରାଯାଇଛି। ଏକ ସୂଚନା ଅନୁଯାୟୀ, ୱାଜିମା ସହରରେ ୧ ମିଟରରୁ ଅଧିକ ଉଚ୍ଚ ଜୁଆର ଛୁଇଁ ସାରିଛି। ଇସିକାୱାକୁ ୫ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ପୂର୍ବ ଉପକୂଳରେ ୧ ମିଟରର ସୁନାମୀ ପହଞ୍ଚି ସାରିଛି ବୋଲି ଦେଶର ପାଣିପାଗ ଏଜେନ୍ସି କହିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ବଡ଼ ସୁନାମୀ ଆସିପାରେ ବୋଲି ସତର୍କ କରାଯାଇ ଦିଆଯାଇଛି। ପ୍ରଥମେ ୫.୭ ତୀବ୍ରତାର ଭୂମିକମ୍ପ ସେଠାକାର ସ୍ଥାନୀୟ ସମୟ ୪ଟା ୬ ମିନିଟରେ ହୋଇଥିଲା। ଏହାପରେ ୪ଟା ୧୦ରେ ୭.୬ ତୀବ୍ରତା, ୪ଟା ୧୮ରେ ୬.୧ ତୀବ୍ରତା,୪ଟା ୨୩ରେ ୪.୫ ତୀବ୍ରତା, ୪ଟା ୨୯ରେ ୪.୬ ତୀବ୍ରତା ଏବଂ ୪ଟା ୩୨ରେ ୪.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ହୋଇଛି। ଅର୍ଥାତ ୨୬ ମିନିଟ ମଧ୍ୟରେ ଜାପାନରେ ୬ ଥର ଭୂମିକମ୍ପ ଅନୁଭୂତ ହୋଇଛି। ୯୦ ମିନିଟରେ ୪ ତୀବ୍ରତାରୁ ଅଧିକ ବିଶିଷ୍ଟ ୨୧ଟି ଭୂକମ୍ପ ଅନୁଭୂତ ହୋଇଛି।
୭.୬ ତୀବ୍ରତାର ଭୂକମ୍ପ
ଜାପାନ, କୋରିଆ ଓ ରୁଷ୍ରେ ସୁନାମୀ ସତର୍କତା
ବିଦ୍ୟୁତ ବିଚ୍ଛିନ୍ନ, ଟ୍ରେନ ଚଳାଚଳ ବନ୍ଦ
ସୁନାମୀ ସର୍ତକତା ପରେ ଇସିକାୱାର ନୋଟୋ ଉପକୂଳରେ ୫ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଆସିଥିଲା। ତେଣୁ ଲୋକଙ୍କୁ ଉଚ୍ଚସ୍ଥାନକୁ ଏବଂ ମଜଭୁତ କୋଠାକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଇସିକାୱା, ନିଗାତା ଏବଂ ତୋୟାମାର ପଶ୍ଚିମ ଉପକୂଳ ଅଞ୍ଚଳରେ ମଧ୍ୟ ସୁନାମୀ ସତର୍କତା ଜାରି କରାଯାଇଛି। ନିଗାତା ଓ ତୋୟାମାର ୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଆସିବା ନେଇ ସତର୍କ କରାଯାଇଛି। ଅନେକ ଭିଡିଓରୁ ଦେଖିବାକୁ ମିଳିଛି କୋଠାଗୁଡ଼ିକ ଭୂମିକମ୍ପରେ ଭୟଙ୍କର ଭାବେ ଦୋହଲୁଛି। ଫଳରେ ଲୋକମାନେ ଚେୟାର ଓ ଟେବୁଲ ଆଦି ତଳେ ଲୁଚିବାକୁ ଉଦ୍ୟମ କରିଛନ୍ତି। ସୁନାମୀ ଫଳରେ ଉପକୂଳ ଅଞ୍ଚଳ ବୁଡ଼ିବା ଆଶଙ୍କା ଦେଖାଦେଇଛି। ଭୂମିକମ୍ପରେ ଅନେକ ଘର ମାଟିରେ ମିଶିଯାଇଛି। ରାସ୍ତାରେ ମଧ୍ୟ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି।
କେବଳ ଜାପାନ ନୁହେଁ, ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ରୁଷ୍ର ସୁଦୂର ପ୍ରାଚ୍ୟରେ ଅବସ୍ଥିତ ଭ୍ଲାଡ଼ିଭୋଷ୍ଟକ ଏବଂ ନଖୋଡ଼କା ସହର ପାଇଁ ସୁନାମୀ ସତର୍କତା ଜାରି କରାଯାଇଛି। ଜାପାନର ପାଣିପାଗ ଏଜେନ୍ସି ଇସିକାୱା ପାଇଁ ବଡ଼ ଧରଣର ସୁନାମୀ ସତର୍କତା ଏବଂ ହୋନ୍ସୁ ଦ୍ବୀପର ପଶ୍ଚିମ ଉପକୂଳ ପାଇଁ ନିମ୍ନ ସ୍ତରର ସୁନାମୀ ସତର୍କତା ଜାରି କରିଛି। ଭୂମିକମ୍ପର ପ୍ରଭାବ ରାଜଧାନୀ ଟୋକିଓ ଏବଂ କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ବୋଲି ଜାପାନ ଟାଇମ୍ସ ପକ୍ଷରୁ କୁହାଯାଇଛି। ଡାକ୍ତରଖାନାକୁ ହାଡ଼ଭଙ୍ଗା ରୋଗୀ ଆସୁଛନ୍ତି। କିନ୍ତୁ ମୃତ୍ୟୁ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନୋଟୋ ଅଞ୍ଚଳରେ କେତେକ ଘରେ ନିଆଁ ଦେଖିବାକୁ ମିଳିଛି। ଭୂକମ୍ପ ଓ ସୁନାମୀ ଯୋଗୁ କେନ୍ଦ୍ରୀୟ ଓ ପୂର୍ବ ଜାପାନରେ ବୁଲେଟ ଟ୍ରେନ ସେବାକୁ ବନ୍ଦ ରଖାଯାଇଛି। ସୁନାମୀ ପରେ ୩୬ ହଜାରରୁ ଅଧିକ ଘରୁ ବିଦ୍ୟୁତ ସଂଯୋଗ କଟିଯାଇଛି। କେନ୍ଦ୍ରୀୟ ଜାପାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ନିକଟରେ ଅନେକ ରାଜପଥ ବନ୍ଦ ରହିଛି। ଇସିକାୱା ଓ ନିଗାତାରେ ଟେଲିଫୋନ ଓ ଇଣ୍ଟରନେଟ ସେବା ମଧ୍ୟ ବ୍ୟାହତ ହୋଇଛି। ସୁନାମୀ ସଂପର୍କରେ ଦିଆଯାଉଥିବା ପରାମର୍ଶକୁ ମାନିବା ଲାଗି ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି। ତେବେ ଆଜିର ଭୂକମ୍ପ ଏବଂ ସୁନାମୀ ଫଳରେ କୌଣସି ଆଣବିକ ଶକ୍ତି କେନ୍ଦ୍ରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇ ନଥିବା କୁହାଯାଇଛି। ଟୋକିଓସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି।