ଯୁବପିଢି କମ ମଦ ପିଉଥିବାରୁ ଜାପାନ ସରକାରଙ୍କ ଚିନ୍ତା, ଆରମ୍ଭ କଲେ ଜାତୀୟ ପ୍ରତିଯୋଗିତା

ଟୋକିଓ : ଜାପାନର ବରିଷ୍ଠ ନାଗରିକଙ୍କ ତୁଳନାରେ ଯୁବପିଢି କମ ମଦ ପିଉଥିବାରୁ ଜାପାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । କାରଣ ଏହା ଦ୍ବାରା ରାଜସ୍ବ ହ୍ରାସ ପାଉଛି । ଏଥିପାଇଁ ଜାପାନ ସରକାର ମଦ ପିଇବାକୁ ପ୍ରେତ୍ସାହନ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଜାପାନର ଜାତୀୟ ଟିକସ ସଂସ୍ଥା ପକ୍ଷରୁ ମଦ୍ୟପାନକୁ ପ୍ରେତ୍ସାହନ ଦେବା ଲକ୍ଷ୍ୟରେ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି । ଏହାର ନାମ ରଖାଯାଇଛି ‘ସେକ୍ ଭିଭା !’ । ଏହି ପ୍ରତିଯୋଗିତା ମାଧ୍ୟମରେ ମଦ ପିଇବାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ, ସେ ନେଇ ନୂଆ ନୂଆ ଆଇଡିଆ ବାହାର କରିବାକୁ ଲୋକମାନଙ୍କୁ କୁହାଯାଇଛି ।  ୨୦ରୁ ୩୯ ବର୍ଷ ବୟସ୍କ ଯୁବକଯୁବତୀମାନେ ଦେଶରେ ବିଭିନ୍ନ ପ୍ରକାରର ମଦ- ସେକ୍, ସୋଚୁ, ହ୍ବିସ୍କି, ଓ୍ବାଇନ କିମ୍ବା ବିୟରର ଚାହିଦା ବଢାଇବାକୁ ନୂଆ ନୂଆ ପ୍ରକାରର ଆଇଡିଆ ସରକାରଙ୍କୁ ଦେଇପାରିବେ ।

ଜାପାନରେ ସେକ୍ ( ଚାଉ​ଳରୁ ପ୍ରସ୍ତୁତ ମଦ) ବେଶ ଲୋକପ୍ରିୟ । ଏଣୁ ଏହି ପ୍ରତିଯୋଗିତାର ନାମ ‘ସେକ୍ ଭିଭା’ ରଖାଯାଇଛି । ସେହିପରି ସୋଚୁ ମଧ୍ୟ ଜାପାନରେ ଏକ ଲୋକପ୍ରିୟ ମଦ ।

ଜାପାନର ଟିକସ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାପାନରେ ମଦ ସେବନ ହ୍ରାସ ପାଇଚାଲିଛି । ୧୯୯୫ରେ ଯେତିକି ଲୋକ ମଦ ପିଉଥିଲେ ୨୦୨୦ରେ ତାହା ହ୍ରାସ ପାଇଛି । ୧୯୯୫ରେ ଜାପାନରେ ମୁଣ୍ଡପିଛା ମଦ ବ୍ୟବହାର ହାରାହାରି ବାର୍ଷିକ ୧୦୦ ଲିଟର ଥିବାବେଳେ ୨୦୨୦ରେ ତାହା ୭୫ ଲିଟରକୁ ହ୍ରାସ ପାଇଛି । ୧୯୮୦ରେ ଜାପାନ ସରକାରଙ୍କ ମୋଟ ରାଜସ୍ବର ୫ ପ୍ରତିଶତ ମଦ ବ୍ୟବସାୟରୁ ଆସୁଥିବାବେଳେ ୨୦୨୦ରେ ତାହା ୧.୭ ପ୍ରତିଶତରେ ସୀମିତ ହୋଇଯାଇଛି ।

ସମ୍ବନ୍ଧିତ ଖବର