ନୂଆଦିଲ୍ଲୀ: ଜାପାନ ରାଷ୍ଟ୍ରଦୂତ ହିରୋଶି ସୁଜୁକି ପୁନେରେ ରାସ୍ତାକଡ଼ରେ ଏବଂ ରେସ୍ତୋରାଁରେ ପତ୍ନୀଙ୍କ ସହିତ ବଡ଼ା ପାଓ ଓ ମିସାଲ ପାଓ ଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଜାପାନ ରାଷ୍ଟ୍ରଦୂତଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଦୃଷ୍ଟି ଆକର୍ଷଣ କରିଛି। ରାଷ୍ଟ୍ରଦୂତ ବଡ଼ା ପାଓ ଓ ମିସାଲ ପାଓ ଖାଇବା ସହିତ ତାହା ଟିକେ ଅଧିକ ମସଲା ଓ ରାଗ ହୋଇଥିବା ନେଇ ଉଲ୍ଲେଖ କରିଛନ୍ତି। ଭାରତୀୟ ରାସ୍ତାକଡ଼ ଖାଦ୍ୟକୁ ମୁଁ ଭଲପାଏ କିନ୍ତୁ ଦୟାକରି ଟିକେ ରାଗ କମ୍ କରନ୍ତୁ ବୋଲି ରାଷ୍ଟ୍ରଦୂତ ଲେଖିଛନ୍ତି। ରାଷ୍ଟ୍ରଦୂତ ତାଙ୍କ ଟ୍ବିଟର ଅନୁଗାମୀଙ୍କ ସୁପାରିସ ଆଧାରରେ ପୁନେର ପ୍ରସିଦ୍ଧ ମିସାଲ ପାଓ ଖାଇଥିଲେ। ସେ ଟିକେ କମ୍ ମସଲା ଚାହାନ୍ତି ବୋଲି କହିଛନ୍ତି।
ଜାପାନ ରାଷ୍ଟ୍ରଦୂତଙ୍କ ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ୍ବାସଡର ମହାଶୟ ଭାରତର ଖାଦ୍ୟ ବିବିଧତାକୁ ଉପଭୋଗ କରିବା ଏବଂ ଏହାକୁ ନୂଆ ରୂପରେ ଉପସ୍ଥାପନ କରିବା ଦେଖି ଖୁସି ଲାଗୁଛି। ଆଗକୁ ଏଭଳି ଭିଡିଓ ପକାଇବା ଜାରି ରଖିବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଭାରତ ଗସ୍ତରେ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସେ ବୁଦ୍ଧ ଜୟନ୍ତୀ ପାର୍କକୁ ଯିବା ସମୟରେ ଆମ୍ବ ପଣା, ଲସି ଆଦି ଖାଦ୍ୟ ଖାଇଥିଲେ।