ଟୋକିଓ: ଜାପାନ  ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍‌ଡିପି)ରେ ବିଭାଜନ ରୋକିବା ପାଇଁ ସେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଜୁଲାଇରେ ହୋଇଥିବା ନିର୍ବାଚନରେ ଏଲ୍‌ଡିପି ମେଣ୍ଟକୁ ଉଚ୍ଚ ସଦନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ହୋଇଥିବାରୁ ଶିଗେରୁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।  

Advertisment

ଇଶିବାଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଦଳୀୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଜୁଲାଇରେ ହୋଇଥିବା ନିର୍ବାଚନରେ  ଏଲ୍‌ଡିପି  ଏବଂ ଏହାର ସହଯୋଗୀ କୋମାଟୋ ମୋଟ ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ ସଂଖ୍ୟାଗରିଷ୍ଠତା ପାଇଁ ଅତି କମ୍‌ରେ ୫୦ଟି ଆସନ ଆବଶ୍ୟକ ଥିଲା। ଉଚ୍ଚ ସଦନରେ ମୋଟ ୨୪୮ଟି ଆସନ ରହିଛି ଏବଂ ଏହି ନିର୍ବାଚନରେ ଅଧା ଆସନରେ ମତଦାନ ହୋଇଥିଲା । ଗତ ବର୍ଷ ଅକ୍ଟୋବରରେ ହୋଇଥିବା ନିର୍ବାଚନରେ  ମଧ୍ୟ ଏଲ୍‌ଡିପି ଗତ ୧୫ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ଫଳରେ ଇଶିବା ସରକାର   ଅନାସ୍ଥା ପ୍ରସ୍ତାବ ଓ ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ଦାବି ମଧ୍ୟରେ ଫସି ଯାଇଥିଲେ।