ନୂଆଦିଲ୍ଲୀ : ତାଇୱାନର ଚାରିପଟେ ଯୁଦ୍ଧାଭ୍ୟାସ କରି ଆତଙ୍କରାଜ ଚଳାଇଥିବା ଚୀନ୍‌ ଜାପାନ ବିରୋଧରେ ମଧ୍ୟ ଆକ୍ରମଣାତ୍ମକ ପଦକ୍ଷେପ ନେଉଥିବାରୁ ଏହାର ମୁକାବିଲା ପାଇଁ ଜାପାନ ବିଶାଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚୀନ୍‌ର ଯେ କୌଣସି ଆକ୍ରମଣର ଜବାବ ଦେବାକୁ ଜାପାନ ପ୍ରସ୍ତୁତ ରହିଛି। ଏହି ପ୍ରକ୍ରିୟାରେ ପ୍ରାୟ ୧୦୦୦ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ର ମୁତୟନ ପାଇଁ ଜାପାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଜାହାଜ ଏବଂ ଯୁଦ୍ଧ ବିମାନରୁ ଛଡ଼ାଯାଇପାରିବ।

Advertisment

ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍‌ ବିଶାଳ ସମରାଭ୍ୟାସ ଜାରି ରଖିଛି ଏବଂ ଜାପାନର ସ୍ବତନ୍ତ୍ର ଆର୍ଥିକ ଜୋନ୍‌ ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି। ଟୋକିଓ ଏହାର ତୀବ୍ର ବିରୋଧ କରିବା ସହ ଚୀନ୍‌ର ମୁକାବିଲା ପାଇଁ କ୍ଷେପଣାସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ହାଇଆଲର୍ଟରେ ରଖିଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଦେଶର ସାମରିକ ଶକ୍ତି ବୃଦ୍ଧି ପାଇଁ ୪୦.୨ ବିଲିୟନ ଡଲାର ବ୍ୟୟବରାଦ କରିଛନ୍ତି।