ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସରକାରୀସ୍ତରୀୟ ଜାପାନ ଗସ୍ତ ବାତିଲ କରିପାରନ୍ତି ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଶାସକ ‘ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି’ରେ ବିରୋଧ ପ୍ରବଳ ହେବାରୁ ଟୋକିଓ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସରକାରୀୟସ୍ତରୀୟ ଜାପାନ ଗସ୍ତ ବାତିଲ କରିବାକୁ ଯାଉଛି। ଏପ୍ରିଲ୍ ମାସରେ ଜି ଜିନ୍‌ପିଙ୍ଗ୍‌ଙ୍କ ଜାପାନ ଗସ୍ତ ଲାଗି ସମୟ ନିର୍ଦ୍ଧାରଣ କରାଯାଇଥିଲେ ବି କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ତାହା ସ୍ଥଗିତ ରହିଥିଲା।

ସେମିତିରେ କିଛି ଦିନ ହେବ ଚୀନ୍‌ ଓ ଜାପାନ ମଧ୍ୟରେ ଉତ୍ତେଜନା କୁହୁଳୁଛି, କିନ୍ତୁ ଚୀନ୍ ହଙ୍ଗ୍‌କଙ୍ଗ୍‌ରେ ଜାତୀୟ ନିରାପତ୍ତା ଆଇନ ପ୍ରବର୍ତ୍ତନ କରିବା କାରଣରୁ ‘ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି’ର ସାଂସଦମାନ‌େ ଜି’ଙ୍କ ଗସ୍ତର ପୁନର୍ବିଚାର କରିବାକୁ ସରକାରଙ୍କୁ କହିଛନ୍ତି। ହଙ୍ଗ୍‌କଙ୍ଗ୍‌ରେ ଚୀନ୍‌ର କଟକଣା ଜାରି ପ୍ରସଙ୍ଗରେ ଜାପାନୀ ସାଂସଦମାନେ ଖୁବ୍ ଉଦ୍‌ବିଘ୍ନ ହୋଇପଡ଼ିଛନ୍ତି। ଗତ ସପ୍ତାହରେ ଲାଗୁ ହୋଇଥିବା ଏହି ଆଇନ ଯୋଗୁଁ ହଙ୍ଗ୍‌କଙ୍ଗ୍‌ରେ ଥିବା ଜାପାନ ନାଗରିକ ଏବଂ କମ୍ପାନିମାନେ ପ୍ରଭାବିତ ହେବେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ଜାପାନୀ କୃଷିଜାତ ସାମଗ୍ରୀ ଆମାଦନି କରୁଥିବା ପ୍ରାୟ ୧୪୦୦ ଜାପାନୀ କମ୍ପାନି ହଙ୍ଗ୍‌କଙ୍ଗ୍‌ରେ ଅଛନ୍ତି।

Image Courtesy of Discover Hong Kong

ଆକ୍ରମଣଶୀଳ କୂଟନୀତିକୁ ଆଗେଇନେବା ଏବଂ ଜାପାନର ସ୍ବାର୍ଥ ଥିବା ବିଶ୍ବର ଆର୍ଥିକ ନାଭିଚକ୍ର ହଙ୍ଗ୍‌କଙ୍ଗ୍‌ରେ କର୍ତ୍ତୃତ୍ବ ଜାହିର କରିବାକୁ ଚୀନ୍ କରୋନାଭାଇରସ୍‌ ମହାମାରୀ ସୁଯୋଗ ନେଇଥିବା କଥା ଜାପାନ ଅଭିଯୋଗ କରିଛି। ଚୀନ୍‌ ଏ ଭଳି ପଦକ୍ଷେପକୁ ତୀବ୍ର ସମାଲୋଚନା କରି ଜାପାନ କହିଛି, ଏହା କ୍ରମଶଃ ହଙ୍ଗ୍‌କଙ୍ଗ୍‌ର ସ୍ବାଧୀନତା କ୍ଷୟ କରୁଛି ଏବଂ ୧୯୯୭ରେ ଚୀନ୍ ଦେଇଥିବା ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି। ୫୦ ବର୍ଷ ଧରି ବ୍ରିଟିସ୍ ଉପନିବେଶ ଥିବା ହଙ୍ଗ୍‌କଙ୍ଗ୍‌କୁ ଉଚ୍ଚସ୍ତରୀୟ ସ୍ବୟଂଶାସନ ବ୍ୟବସ୍ଥା ଦିଆଯିବ ବୋଲି ଚୀନ୍ କହିଥିଲା। ୧୯୯୭ ମସିହାରେ ହଙ୍ଗ୍‌କଙ୍ଗ୍‌ ବ୍ରିଟିସ୍ ସରକାରଙ୍କ ଅଧୀନରୁ ଚୀନ୍‌କୁ ଫେରିଥିଲା।

 

ସମ୍ବନ୍ଧିତ ଖବର