ରାଫେଲ୍ ବିବାଦ ମୋଦୀଙ୍କୁ ଯଶୱନ୍ତ ସିହ୍ନାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ମୋଦୀ ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଥମୁନଥିବା ବେଳେ ବିଜେପିର ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଫେଲ୍ ଚୁକ୍ତି ବାବଦରେ ୬ଟି ପ୍ରଶ୍ନ ପଚାରିଛନ୍ତି। ସିହ୍ନା କହିଛନ୍ତି, ୟୁପିଏ ସରକାର ଫ୍ରାନ୍ସ ସହ ଯେଉଁ ରାଫେଲ୍ ଚୁକ୍ତି କରିଥିଲେ, ତାହାକୁ ଏନ୍‌ଡିଏ ସରକାର ବାତିଲ କଲେ। ନୂଆ ରାଜିନାମାର କ’ଣ ଆବଶ୍ୟକ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦ୍ବିତୀୟତଃ ଜାତୀୟ ସୁରକ୍ଷା ପାଇଁ ୧୨୬ ବିମାନ ଆବଶ୍ୟକ ଥିଲା ବେଳେ ଏହାକୁ କେଉଁ ପରିସ୍ଥିତିରେ ୩୬କୁ ହ୍ରାସ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତୃତୀୟତଃ ମୋଦୀ ସରକାର ର‌ାଫେଲ୍ ଚୁକ୍ତି ନିମନ୍ତେ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ବାଛିଛନ୍ତି। କିନ୍ତୁ ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ପ୍ରତି ସରକାର ଆଖି ବୁଜିଦେଇଛନ୍ତି। ଏଭଳି କରି ମୋଦୀ ମେକ୍ ଇନ୍ ଇଣ୍ଡିଆର ପରିହାସ କରିନାହାନ୍ତି କି ବୋଲି ସିହ୍ନା ପ୍ରଶ୍ନ କରିଛନ୍ତି। ରାଫେଲ୍ ଚୁକ୍ତି ବାବଦରେ କୌଣସି ପ୍ରକାର ସର୍ତ୍ତ ରଖାଯାଇ ନାହିଁ। କିନ୍ତୁ ବାରମ୍ବାର ମୋଦୀ ସରକାର ଚୁକ୍ତି ବେଳେ ହୋଇଥିବା ସର୍ତ୍ତ କଥା ଉଠାଇ ସତ ଲୁଚାଉଛନ୍ତି। ସରକାର କ’ଣ ପାଇଁ ସତ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେ ନେଇ କିଛି କହିବେ କି ବୋଲି ସେ ଦର୍ଶାଇଛନ୍ତି। ସିହ୍ନା ନିଜ ଷଷ୍ଠ ତଥା ଅନ୍ତିମ ପ୍ରଶ୍ନରେ କହିଛନ୍ତି ଯେ ମୋଦୀ ସରକାର ବାରମ୍ବାର ଏ ବାବଦ ତଦନ୍ତ ଦାବିକୁ ଏଡ଼ାଉଛନ୍ତି କାହିଁକି?

ସମ୍ବନ୍ଧିତ ଖବର