ଜାଟ୍‌ ଆନ୍ଦୋଳନ ରାଲି ପାଇଁ ହରିୟାଣାର ୧୩ଟି ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼: ତିନି ଦିନ ପାଇଁ ହରିୟାନା ସରକାର ୧୩ଟି ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିଛନ୍ତି। ନଭେମ୍ବର ୨୬ ତାରିଖ ଦିନ ଜାଟ୍‌ ସଙ୍ଗଠନ ଏବଂ ବିଜେପିର କୁରୁକ୍ଷେତ୍ର ସାଂସଦ ଦୁଇଟି ସର୍ବସାଧାରଣ ରାଲି ବାହାର କରୁଥିବାରୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି।

ଜାଟ୍‌ଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରୁଥିବା ସାଂସଦ ରାଜ କୁମାର ସାଇନି ଜିନ୍ଦ ଠାରେ ‘ସାମନ୍ତ ମହା ସମ୍ମେଳନ’ ଡାକରା ଦେଇଛନ୍ତି। ସେହି ଦିନ ‘ସର୍ବଭାରତୀୟ ଜାଟ୍‌ ଆରକ୍ଷଣ ସଂଘର୍ଷ ସମିତି’ର ଜାତୀୟ ଅଧ୍ୟକ୍ଷ ଯଶପାଲ୍‌ ମଲିକ୍‌ ମଧ୍ୟ ରୋହତକ ଜିଲ୍ଲାର ଜାସିଆ ଠାରେ ଗୋଟାଏ ରାଲି ଆୟୋଜନ କରିଛନ୍ତି।

ଜିନ୍ଦ୍‌, ହାନ୍‌ସି, ଭିଓ୍ଵାନି, ହିସାର୍‌, ଫତେବାଦ୍‌, କର୍ଣ୍ଣାଲ୍‌, ପାନିପତ, କୈଥାଲ୍‌, ରୋହତକ୍‌, ସୋନିପତ, ଝାଜ୍ଜାର ଏବଂ ଚର୍‌ଖି ଦାଦ୍ରି ଆଦି ଜିଲ୍ଲାରେ ନଭେମ୍ବର ୨୬ ତାରିଖ ମଧ୍ୟରାତ୍ରୀ ଯାଏଁ ମୋବାଇଲ୍‌ ନେଟ୍‌ଓ୍ଵାର୍କରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। କିନ୍ତୁ, ଭଏସ୍‌ କଲ୍‌ କାମ କରିବ ବୋଲି ଗତକାଲି ସରକାରଙ୍କ ତରଫରୁ ଏକ ଅର୍ଡର୍‌ ବାହାରିଛି।

ଶୁକ୍ରବାର ଦିନ ଜାରି ହୋଇ ଥିବା ଏହି ଆଦେଶକୁ ଗୃହ ବିଭାଗର ମୁଖ୍ୟ ସଚିବ ଏସ୍‌ ଏସ୍‌ ପ୍ରସାଦ ଜାରି କରିଛନ୍ତି।

ରବିବାର ଦିନ ଦୁଇ ଦୁଇଟି ରାଲି ବାହାରୁ ଥିବାରୁ ପରିସ୍ଥିତିରେ ଉତ୍ତେଜନା ଦେଖା ଦେଇପାରେ। ଏଥିରେ ମଣିଷର ଧନ ଜୀବନ ପ୍ରତି ବିପଦ ପଡ଼ିବାର ଆଶଙ୍କା ରହିଛି। ରାଲିରେ ଯୋଗ ଦେଇଥିବା ଲୋକେ ଏବଂ ଅସାମାଜିକ ତତ୍ତ୍ୱ ସର୍ବସାଧାରଣ ଶାନ୍ତି ଭଙ୍ଗ କରି ପାରନ୍ତି।

ସାଇନିଙ୍କ ରାଲିକୁ ବିରୋଧ କରୁଥିବା ଦଳେ ଜାଟ୍‌ ଶୁକ୍ରବାର ଦିନ ପୁଲିସ ସହ ସଂଘର୍ଷ କରି ଜିନ୍ଦ ଠାରେ ଜିନ୍ଦ୍‌-ଚଣ୍ଡିଗଡ଼ ଜାତୀୟ ରାଜପଥ ଅବରୋଧ କରିଥିଲେ।

ପୁଲିସ ହାଲୁକା ଲାଠି ଚାଳନା କରି ପ୍ରତିବାଦକାରୀଙ୍କୁ ଘଉଡ଼ାବା ପରେ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ପ୍ରତିବାଦକାରୀଙ୍କ ନେତୃତ୍ୱ ନେଇଥିବା ଜାଟ୍‌ ନେତା ସନ୍ଦୀପ ଭାର୍‌ତି ସାଇନିଙ୍କ ରାଲି ବାତିଲ୍‌ କରାଇବାକୁ ଦାବି କରୁଛନ୍ତି।

ରୋହତକ୍‌ ଏବଂ ଜିନ୍ଦ୍‌ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା କଥା ଅଧିକାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର