ଛୁଟିରେ ଥିବା ଯବାନଙ୍କୁ ପାଟନାରେ ଗୁଳି କରି ହତ୍ୟା

ପାଟନା : ବିହାର ରାଜଧାନୀ ପାଟନାରେ ଗୁରୁବାର ଦିନ ଜଣେ ସେନା ଯବାନଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଯବାନ ଜଣଙ୍କ ଏକ ଲୁଟ୍‌ ଘଟଣାକୁ ବିରୋଧ କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯବାନଙ୍କ ନାମ ବବ୍‌ଲୁ କୁମାର। ତାଙ୍କ ବାପାଙ୍କ ନାମ ଅମରନାଥ ଯାଦବ। ସେ ବୈଶାଳୀ ଜିଲ୍ଲାର ରାଘୋପୁର ସ୍ଥିତ ଚାନ୍ଦପୁରା ଗ୍ରାମ ବାସିନ୍ଦା। ଏବେ ସେ ଗୌହାଟୀରେ ଚାକିରି କରିଛନ୍ତି। କିନ୍ତୁ ୪୫ ଦିନ ଛୁଟିରେ ସେ ଘରକୁ ଆସିଥିଲେ। ପୁଅକୁ ସେଣ୍ଟ୍ରାଲ ସ୍କୁଲ୍‌ରେ ଆଡମିସନ ଦେବାପାଇଁ ସେ ଘରକୁ ଆସିଥିଲେ।

ଗୁରୁବାର ଭୋର୍‌ ପ୍ରାୟ ୩.୩୦ ସମୟରେ ଏକ ଅଟୋମୋବାଇଲ୍‌ ସୋରୁମ୍‌ ନିକଟରେ ଏହି ଘଟଣା ଘଟିଛି। ସେନା ଯବାନ ଗୌହାଟୀକୁ ଟ୍ରେନ୍‌ ଧରିବାପାଇଁ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ପାଟଳିପୁତ୍ର ରେଳ ଷ୍ଟେସନ ଯାଉଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ବାଇକ୍‌ରେ ପିଛା କରିଥିଲେ ଏବଂ ବବ୍‌ଲୁଙ୍କୁ ପଛପଟୁ ଗୁଳି କରିଥିଲେ। ଗୁଳି ବବ୍‌ଲୁଙ୍କ ମୁଣ୍ଡରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର