‘କୌଣସି ମସ୍‌ଜିଦ୍‌ରେ ମାଇକ୍‌ର ବ୍ୟବହାର ଆଦୌ ଉଚିତ୍‌ ନୁହେଁ’: ଜଭେଦ୍‌ ଅଖ୍‌ତର

ନୂଆଦିଲ୍ଲୀ: ‘କୌଣସି ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ବା ମାଇକ୍‌ର ବ୍ୟବହାର କରାଯିବା ଆଦୌ ଉଚିତ୍‌ ନୁହେଁ’ ବୋଲି କହିଛନ୍ତି ଦେଶର ସ୍ୱନାମଧନ୍ୟ ଗୀତିକାର ଓ କବି ଜାଭେଦ୍‌ ଅଖ୍‌ତର୍‌।

ପ୍ରାୟ ବର୍ଷକ ତଳେ ଠିକ୍‌ ଏହି କଥା କହି ବିଲିଉଡ୍‌ର ଅନ୍ୟତମ ଖ୍ୟତନାମା ଗାୟକ ସୋନୁ ନିଗମ୍‌ ବିବାଦର ପରିସର ଭିତରକୁ ଆସି ଯାଇଥିଲେ। ସେତେବେଳେ ଏହାକୁ ନେଇ ଦେଶରେ ଆରମ୍ଭ ହୋଇଥିବା ବିବାଦ ଓ ବିତର୍କ ସଂପୂର୍ଣ୍ଣ ରୂପେ ଥମି ନଥିଲା ବେଳେ, ଏ ପ୍ରସଙ୍ଗରେ ସୋନୁ ନିଗମଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛନ୍ତି ଜାଭେଦ୍‌ ଅଖ୍‌ତର।

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ନିଜସ୍ୱ ମତ ବ୍ୟକ୍ତ କରି ବୁଧବାର ଜାଭେଦ୍‌ ଅଖ୍‌ତର ଲେଖିଛନ୍ତି, କୌଣସି ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ବା ମାଇକ୍‌ର ବ୍ୟବହାର କରାଯିବା ଆଦୌ ଉଚିତ୍‌ ନୁହେଁ; କେବଳ ମାତ୍ର ମସ୍‌ଜିଦ୍‌ କାହିଁକି ଘରୋଇ ଅଞ୍ଚଳ ମଧ୍ୟରେ ରହୁଥିବା କୌଣସି ଧାର୍ମିକ ଅନୁଷ୍ଠାନରେ ଲାଉଡ୍‌ସ୍ପିକର ବା ମାଇକ୍‌ର ବ୍ୟବହାର କରାଯିବା ଉଚିତ୍‌ ନୁହେଁ।

ନିଜ ଟୁଇଟ୍‌ର ପେଜ୍‌ରେ ଜାଭେଦ୍‌ ଅଖ୍‌ତର ପୁଣି ଟୁଇଟ୍‌ କରିଛନ୍ତି, ‘ଏ ବାବଦରେ ମୁଁ ସୋନୁ ନିଗମଙ୍କ ସମେତ ଅନ୍ୟ ସମସ୍ତଙ୍କ ସହ ପୂର୍ଣ୍ଣ ସହମତ, ଯେଉଁମାନେ ଘରୋଇ ଅଞ୍ଚଳ ମଧ୍ୟରେ ଥିବା ମସ୍‌ଜିଦ୍‌ ସମେତ ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଲାଉଡ୍‌ସ୍ପିକର ବା ମାଇକ୍‌ର ବ୍ୟବହାରକୁ ବିରୋଧ କରୁଛନ୍ତି।’

ସୋନୁ ନିଗମଙ୍କ ଏପ୍ରକାରର ବକ୍ତବ୍ୟ ପାଇଁ ତାଙ୍କ ଉପରେ ଫତଓ୍ଵା ଜାରି କରାଯିବା ସହ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ସୁଦ୍ଧା ଧମକ ମିଳିଥିଲା। ତେବେ, ଏହି ବିବାଦ ଗତ କିଛିଦିନ ହେବ ଥଣ୍ଡା ପଡ଼ି ଆସିଥିଲା।

ତେବେ, ମହାରାଷ୍ଟ୍ର ଗୁଇନ୍ଦା ବିଭାଗ ପକ୍ଷରୁ ଗତ ସୋମବାର ଏକ ସତର୍କ ସୂଚନା ଜରି କରାଯିବା ସହ ସତର୍କ କରାଇ ଦିଆ ଯାଇଥିଲା ଯେ ଏ ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ଗାୟକ ସୋନୁ ନିଗମଙ୍କ ସମେତ ଦୁଇ ବିଜେପି ନେତା ରାମ କଦମ୍‌ ଓ ଆଶିଷ ସେଲାରଙ୍କ ଉପରେ ପାକିସ୍ତାନର ଏକ ଆତଙ୍କବାଦୀ ସଂସ୍ଥା ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ସତର୍କ ସୂଚନା ଆଧାରରେ ମୁମ୍ବାଇ ପୋଲିସ୍‌ ଗତକାଲି ସୋନୁ ନିଗମଙ୍କ ବାସ ଭବନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଥିବା ବେଳେ, ଏପ୍ରସଙ୍ଗରେ ଏପ୍ରକାରର ଟୁଇଟ୍‌ କରିଛନ୍ତି ଜାଭେଦ୍‌ ଅଖ୍‌ତର। ଯାହାକି ଏବେ ମୁମ୍ବାଇ ପୋଲିସ୍‌ର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର