କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ତାଙ୍କର ଟିମ୍ ସହଯୋଗୀ ଇମ୍ରାନ୍ ଖାଁଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି ବିବାଦୀୟ ବ୍ୟାଟ୍ସମ୍ୟାନ ଜାଭେଦ ମିଆଁଦାଦ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ କ୍ରିକେଟ୍କୁ ଇମ୍ରାନ ଧ୍ବଂସ ମୁହଁକୁ ଠେଲି ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ର ବହୁ ପ୍ରମୁଖ ପଦରେ ବିଦେଶୀମାନଙ୍କୁ ନିଯୁକ୍ତ କରାଯାଉଥିବାରୁ ସେ ଏହାର ଦୃଢ଼ ବିରୋଧ କରିଛନ୍ତି। ଇଂଲଣ୍ଡରେ ବଢ଼ିଥିବା ୱାସିମ୍ ଖାନଙ୍କୁ ପିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତ କରାଯାଇଥିବାରୁ ସେ ଏଭଳି ଇଙ୍ଗିତ କରିଛନ୍ତି। ପିସିବିର ଅଧିକାରୀମାନେ ଖେଳର ଏବିସିଡି ଜାଣିନାହାନ୍ତି। ପାକିସ୍ତାନରେ କ’ଣ ଲୋକଙ୍କ ଅଭାବ ରହିଛି ଯେ ବିଦେଶରୁ ଅଣାଯାଉଛି? ଦୁର୍ନୀତି କରି ସେ ଫେରାର ହୋଇଗଲେ କ’ଣ କରାଯିବ ବୋଲି ମିଆଁଦାଦ ପ୍ରଶ୍ନ କରିଛନ୍ତି।
ଇମ୍ରାନଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଗାଳିଗୁଲଜ କରିବାକୁ ପଛାଇ ନାହାନ୍ତି ଏହି ବିବାଦୀୟ ବ୍ୟାଟ୍ସମ୍ୟାନ୍। ଏକ ଟିଭି ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ତୁମ ଅଧିନାୟକ ଥିଲି, ତୁମେ ମୋ ଅଧିନାୟକ ନୁହଁ। ମୁଁ ରାଜନୀତିକୁ ଆସିବା ପରେ ତୁମ ସହ କଥାହେବି। ତୁମେ ମୋ ନେତୃତ୍ବରେ ଖେଳିଥିଲ, କିନ୍ତୁ ଏବେ ଈଶ୍ବରଙ୍କ ଭଳି ବ୍ୟବହାର କରୁଛ। ଏଭଳି ଲାଗୁଛି ଯେଭଳି ତୁମେ ଦେଶର ଏକମାତ୍ର ବିଜ୍ଞ ବ୍ୟକ୍ତି। କେହି ଯେମିତି ଅକ୍ସଫୋର୍ଡ କି କେମ୍ବ୍ରିଜ୍ ଯାଇନାହାନ୍ତି, କି ପାକିସ୍ତାନର କୌଣସି ବିଶ୍ବବିଦ୍ୟାଳୟରେ ପଢ଼ିନାହାନ୍ତି। ନିଜ ଲୋକଙ୍କ କଥା ଚିନ୍ତା କର।’ ସେ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି, ‘ତୁମେ ମୋ ଘରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ହୋଇଛ, ଏବେ କିନ୍ତୁ ଲୋକଙ୍କୁ ଖାତିର କରୁନାହଁ। ମୋ କଥାକୁ ଖଣ୍ଡନ କରିବା ଲାଗି ତୁମକୁ ଆହ୍ବାନ ଦେଉଛି।’