ପଶ୍ଚିମବଙ୍ଗରେ ନେହେରୁଙ୍କ ପ୍ରତିମୂର୍ତ୍ତିରେ କାଳି

ବର୍ଦ୍ଧମାନ: ଶନିବାର ଦିନ ପଶ୍ଚିମବଙ୍ଗର କାତ୍‌ଓ୍ଵା ସହରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ କାଳି ବୋଳାଯାଇଛି।

ଏଥିପାଇଁ କଂଗ୍ରେସ ବିଜେପିକୁ ନିନ୍ଦା କରିଛି କିନ୍ତୁ, ଗୈରିକ ଦଳ ଏଥିରେ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଛି।
ପୂର୍ବ ବର୍ଦ୍ଧମାନ ଜିଲ୍ଲାର କାତ୍‌ଓ୍ଵା ସହରର ଟେଲିଫୋନ୍‌ ମୈଦାନରେ ଥିବା ପ୍ରତିମୂର୍ତ୍ତିରେ କଳା ବୋଳା ଯାଇଥିବା ଶନିବାର ଦିନ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସରେ ଖବର ଦେଇଥିଲେ।

ଏହା ପରେ ଏ କାର୍ଯ୍ୟ ପାଇଁ ଦାୟୀ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ କର୍ମୀମାନେ ଥାନା ସମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେମାନଙ୍କ ଦ୍ୱାରା ଅଭିଯୋଗ ଦାଏର କରାଯାଇଛି ଏବଂ ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଛି।

ତୃଣମୂଳ କଂଗ୍ରେସ ପରିଚାଳିତ କାତ୍‌ଓ୍ଵା ମ୍ୟୁନିସ୍‌ପାଲିଟିର ଚେୟାର୍‌ମ୍ୟାନ୍‌ ରବୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ନେହେରୁଙ୍କ ପ୍ରତିମୂର୍ତ୍ତିରେ କଳା ବୋଳା ଯାଇଥିବା ଘଟଣାକୁ ନିନ୍ଦା କରିଛନ୍ତି। ଏହାକୁ ପରଦିନ ପରିଷ୍କାର କରାଯାଇଛି ବୋଲି ସେ କହିଛନ୍ତି।

କତ୍‌ଓ୍ଵା ଟାଉନ୍‌ କଂଗ୍ରେସ ସଚିବ ସୁଭାଶିଷ ସାମନ୍ତ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ପଛରେ ବିଜେପି କର୍ମୀମାନେ ଅଛନ୍ତି। କିନ୍ତୁ, ଏଥିରେ ଦଳର କୌଣସି ଭୂମିକା ନାହିଁ ବୋଲି ଗୈରିକ ଦଳର ଗ୍ରାମୀଣ ଜିଲ୍ଲା ସଚିବ ସନ୍ଦୀପ ନନ୍ଦୀ କହିଛନ୍ତି।

ସମ୍ବନ୍ଧିତ ଖବର