ପାକ୍‌ ହନିଟ୍ରାପ୍‌ରେ ଫସି ଯବାନ ହ୍ବାଟ୍‌ସ ଆପ୍‌ରେ ପଠାଉଥିଲେ ଯୁଦ୍ଧାସ୍ତ୍ର ଫଟେ ଓ ସମ୍ବେଦନଶୀଳ ତଥ୍ୟ, ଧରାପଡ଼ି ଗିରଫ ହେଲେ

ଯବାନଙ୍କୁ ପୁଲିସ ଗିରଫ କରି ଜୟପୁର ଅଦାଲତରେ ହାଜର କଲା

ଜୟପୁର: ରାଜସ୍ଥାନର ଜଣେ ଯବାନ ପାକିସ୍ତାନ ହନିଟ୍ରାପ୍‌ର ଶିକାର ହୋଇ ଭାରତର ସମ୍ବେଦନଶୀଳ ତଥ୍ୟ, ଗୁପ୍ତ ସୂଚନା ଏବଂ ବିଭିନ୍ନ ଯୁଦ୍ଧାସ୍ତ୍ରର ଫଟୋ ପାକିସ୍ତାନ ପଠାଉଥିଲେ ବୋଲି ଜଣାପଡ଼ିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ଯବାନଙ୍କୁ ପୁଲିସ ଗିରଫ କରି ଜୟପୁର ଅଦାଲତରେ ହାଜର କରିବା ପରେ ତାଙ୍କୁ ପୁଲିସ ହାଜତରେ ୧୯ ତାରିଖ ପର୍ଯ୍ୟନ୍ତ ରଖିବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଜଣେ ମହିଳା ପାକ୍‌ ଏଜେଣ୍ଟ ନିଜକୁ ଜମ୍ମୁର ଛାତ୍ରୀ ବୋଲି ପରିଚୟ ଦେଇ ଯବାନ ସୋମବୀର୍‌ଙ୍କ ସହିତ ଘନିଷ୍ଠତା ବଢ଼ାଇଥିଲେ। ସୋମବୀର୍‌ ତାଙ୍କୁ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସେନାର ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରୁଥିଲେ। ତେବେ ସେନା ଗୁଇନ୍ଦାର ଖୋଳତାଡ଼ ପରେ ସୋମ୍‌ବୀରଙ୍କ ସଂପର୍କରେ ଅନେକ ଚାଂଚଲ୍ୟକର ତଥ୍ୟ ଜଣାପଡ଼ିଥିଲା। ଏହି ଯବାନ ଜଣକ ଗୁପ୍ତଚର ବୃତ୍ତି କରିବା ପାଇଁ ପାକ୍‌ ଏଜେଣ୍ଟ୍‌ଙ୍କଠାରୁ ଅର୍ଥ ମଧ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। ସୋମବିର୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଯାଞ୍ଚ ପରେ ଏହା ଜଣାପଡ଼ିଛି। ହନିଟ୍ରାପ୍‌ରେ ସଂପୂର୍ଣ୍ଣ ଫସିଯିବା ପରେ ସୋମବୀର୍‌ ତାଙ୍କ ଅର୍ଥ ଦାବି ମଧ୍ୟ ବଢ଼ାଇଥିଲେ ବୋଲି ଜଣାପଡ଼ିଛି ।

୭ ମାସ ତଳେ ସୋସିଆଲ୍‌ ମିଡିଆରେ ଜଣେ ପାକ୍‌ ଏଜେଣ୍ଟ୍‌ ନିଜକୁ ଜମ୍ମୁର କଲେଜ ଛାତ୍ରୀ ବୋଲି ପରିଚୟ ଦେଇ ସୋମ୍‌ବୀରଙ୍କ ସହ ସଂପର୍କ ସ୍ଥାପନ କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଅନ୍‌ଲାଇନ୍‌ରେ ଦୀର୍ଘ କଥାବାର୍ତ୍ତା ଏବଂ ଭିଡିଓ ଚାଟିଂ ହୋଇଥିବା ପ୍ରମାଣ ମିଳିଛି। ‘ଅନିକା ଚୋପ୍ରା’ ନାମରେ ଏକ ନକଲି ଆକାଉଣ୍ଟ ଖୋଲି ଯବାନଙ୍କୁ ପାକ୍‌ ଏଜେଣ୍ଟ ଫସାଇଥିଲେ। ପାକ୍‌ ‌ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଜମ୍ମୁ କଶ୍ମୀରର କେତେକ ଯୁବତୀଙ୍କୁ ବ୍ୟବହାର କରି ହନିଟ୍ରାପ୍‌ରେ ଯବାନଙ୍କୁ ଫସାଇବା ପାଇଁ ଲଗାତାର ଉଦ୍ୟମ କରି ଆସୁଛି।

ସମ୍ବନ୍ଧିତ ଖବର