ବୁଲନ୍ଦସର୍‌ ହିଂସା, ବଦଳିଲେ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ୩ ଅଧିକାରୀ

ୟୁପି ପୁଲିସକୁ ହସ୍ତାନ୍ତର ହେଲେ ଯବାନ ଜିତୁ

ଲ‌‌କ୍ଷ୍ନୌ: ବୁଲନ୍ଦସର ହିଂସାକାଣ୍ଡ ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ହିଂସାର ଶିକାର ହୋଇ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ପ୍ରାଣ ହରାଇଥିଲେ। ତେବେ ଗୋଟିଏ ପଟେ ଇନ୍ସପେକ୍ଟରଙ୍କ ହତ୍ୟାକୁ ନେଇ ବିବାଦ ବଢ଼ୁଥିବାବେଳେ ଅନ୍ୟପକ୍ଷେ ଆଜି ଏହି ଘଟଣାରେ ପ୍ରଥମ ଥର ପାଇଁ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବୁଲନ୍ଦସର ଜିଲ୍ଲା ମୁଖ୍ୟ ଏସଏସ୍‌ପି କ୍ରୀଷ୍ଣା ବାହାଦୁର ସିଂହଙ୍କ ସମେତ ୩ ଜଣ ପୁଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ବୁଲନ୍ଦସର ହିଂସା ଏଡାଇବାପାଇଁ ଉଚିତ୍‌ ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ଏମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏସ୍‌ଏସ୍‌ପି ବାହାଦୁର ସିଂହ ଲକ୍ଷ୍ନୌକୁ ବଦଳି ହୋଇଥିବାବେଳେ ତାଙ୍କ ଦାୟିତ୍ବରେ ରହିବେ ସୀତାପୁର ଏସ୍‌ପି ପ୍ରଭାକର ଚୌଧୁରୀ। ସେହିପରି ବଦଳି ହୋଇଥିବା ଅନ୍ୟ ପୁଲିସ ଅଧିକାରୀ ହେଉଛନ୍ତି ସିଓ ସ୍ୟାନା ସତ୍ୟପ୍ରକାଶ ଶର୍ମା ଏବଂ ହିଂସାସ୍ଥଳର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଚିଙ୍ଗ୍ରାବତୀ ଚୌକି ଇନଚାର୍ଜ ସୁରେଶ କୁମାର। ସୂଚନାନୁଯାୟୀ ଡିଜିପି ଓପି ସିଂହଙ୍କ ଦ୍ବାରା ଏକ ଉଚ୍ଚ ସ୍ତରୀୟ ବୈଠକ ହେବାପରେ ଏବଂ ହିଂସା ସଂକ୍ରାନ୍ତରେ ଏକ ରିପୋର୍ଟ ଡିଜିପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେବାପରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ପ୍ରାରମ୍ଭରେ ଘଟଣାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି କହୁଥିବା ଯୋଗୀ ଗତକାଲି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଏହା ଏକ ଦୁର୍ଘଟଣା। ଇନ୍ସପେକ୍ଟର ସୁବୋଧ ସିଂହଙ୍କ ହତ୍ୟାକାଣ୍ଡରେ ଜଣେ ଯବାନ ଜିତେନ୍ଦ୍ର ମଲ୍ଲିକ୍‌ ଓରଫ ଜିତୁଙ୍କ ନାମ ଉଠିବାପରେ ଆଜି ତାଙ୍କୁ ଅଟକ ରଖାଯାଇଥିଲା। ଜମ୍ମୁ କଶ୍ମୀରରେ ୨୨ ରାଷ୍ଟ୍ରୀୟ ରାଇଫଲ୍ସ ସେନା ଶିବିରରୁ ଆଜି ଜିତୁଙ୍କୁ ଅଟକ ରଖାଯାଇ ପରେ ତାଙ୍କୁ ୟୁପି ସରକାରଙ୍କ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର