ପୂର୍ବତନ ଯବାନଙ୍କ ଉନ୍ମତ୍ତ କାଣ୍ଡ:ଦି’ ଘଣ୍ଟାରେ ୬ ଜଣଙ୍କୁ ହତ୍ୟା

ଯାହାକୁ ଦେଖିଲା ଲୁହା ଛଡ଼ରେ ପିଟିଲା

ଚଣ୍ଡୀଗଡ଼: ହରିଆଣାର ପଲଓ୍ଵାଲ୍‌ ସହରରେ ସୋମବାର ବିଳମ୍ବିତ ରାତିରେ ଜଣେପୂର୍ବତନ ସେନା ଯବାନଙ୍କ ଉନ୍ମତ୍ତ କାଣ୍ଡ ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାଟରେ ଘାଟରେ ସେ ଯାହାକୁ ଦେଖିଲେ ଲୁହା ଛଡ଼ରେ ପିଟି ପିଟି ଦୁଇ ଘଣ୍ଟାରେ ୬ ଜଣଙ୍କୁ ହତ୍ୟା କରିବା ଘଟଣା ସହରବାସୀଙ୍କୁ ଆତଙ୍କିତ କରିଦେଇଛି।
ପୁଲିସ ସୁଚନାନୁଯାୟୀ, ଭାରତୀୟ ସେନାବାହିନୀରେ ଥିବା ଫରିଦାବାଦ୍‌ର ମଚ୍ଛାର ବାସିନ୍ଦା ନରେଶ ଧନକର ୨୦୦୩ ମସିହାରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରେ ୨୦୦୬ ମସିହାରେ ସେ କୃଷି ବିଭାଗରେ ଏଡିଓ ଭାବେ ଯୋଗ ଦେଇଥିଲେ। ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇ ପଲଓ୍ଵାଲ୍‌ ସହରରେ ରହୁଥିବା ନରେଶ ସୋମବାର ରାତି ୨ରେ ପ୍ରଥମେ ପଲବଲ ସରକାରୀ ମେଡିକାଲରେ ପହଞ୍ଚିଥିଲା। ସେଠାରେ ବାହାରେ ଶୋଇଥିବା ଜଣେ ମହିଳାଙ୍କୁ ସେ ଏକ ଲୁହା ଛଡ଼ରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ସେ ଆଗ୍ରା ରୋଡ୍‌ର ଚୌହାରା ନିକଟରେ ୩ ଜଣଙ୍କୁ ଅନୁରୂପ ଭାବେ ଲୁହାଛଡ଼ରେ ପିଟି ପିଟି ହତ୍ୟା କରିଥିଲା। ସେଠାରୁ ଅଳ୍ପ କିଛି ଦୂରରେ ଆଉ ୨ ଜଣଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲା।
ସୋମବାର ରାତି ୨ଟାରୁ ମଙ୍ଗଳବାର ଭୋର୍‌ ୪ଟା ଭିତରେ ମାତ୍ର ଦୁଇ ଘଣ୍ଟାରେ ୬ ଜଣଙ୍କ ହତ୍ୟା ସୂଚନା ପାଇ ପୁଲିସ ମଙ୍ଗଳବାର ସକାଳ ୭ଟାରେ ନରେଶକୁ ସୋହନା ରୋଡ ନିକଟରୁ ଗିରଫ କରିଥିିଲା। ତେବେ ଗିରଫ ସମୟରେ ସେ ମଧ୍ୟ ପୁଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ ହେଁ ପୁଲିସ ତା’କୁ କାବୁ କରି ନେଇଥିଲା। ଅଭିଯୁକ୍ତ ନରେଶର ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ନିକଟ ମେଡିକାଲରେ ଭର୍ତ୍ତି କରାଯିବା ପରେ ଫରିଦାବାଦ ସ୍ଥାନାନ୍ତର କରାଯାଇଛି। ତା’ର ଏପରି ଉନ୍ମତ୍ତ କାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିିନଥିଲେ ମଧ୍ୟ ମାନସିକ ବିକୃତି ଯୋଗୁଁ ସେ ଏଭଳି ଭିଆଇଥିବା ପୁଲିସ ସନ୍ଦେହ କରୁଛି। ଏପରିକି ସେ ନିଜ ପତ୍ନୀ ଏବଂ ୮ ବର୍ଷର ପୁଅକୁ ମଧ୍ୟ ହତ୍ୟା କରିବା ଯୋଜନା କରିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର