ଜୟା ବଚ୍ଚନଙ୍କ ସଂପର୍କରେ ମନ୍ତବ୍ୟକୁ ନାପସନ୍ଦ:ବିଜେପିରେ ନରେଶ ଅଗ୍ରଓ୍ଵାଲ୍‌, ଆରମ୍ଭରୁ ବିବାଦ

ଲକ୍ଷ୍ନୌ : ରାଜ୍ୟସଭା ପାଇଁ ଟିକେଟ୍‌ ନମିଳିବାରୁ ଅସନ୍ତୁଷ୍ଟ ହୋଇ ସମାଜବାଦୀ ପାର୍ଟି(ସପା)ର ବରିଷ୍ଠ ନେତା ତଥା ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀ ନରେଶ ଅଗ୍ରଓ୍ଵାଲ ଆଜି ବିଜେପିରେ ଯୋଗ ଦେବା ଘଟଣା ଉତ୍ତରପ୍ରଦେଶ ରାଜନୀତିକୁ ସରଗରମ ରହିଛି। ହାର୍ଦୋଇ ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାୟକ ହୋଇଥିବା ନରେଶ ଏବେ ସପାର ରାଜ୍ୟସଭା ସାଂସଦ ଥିବା ବେଳେ ଆସନ୍ତା ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ପୂରିବ। ତେବେ ତାଙ୍କୁ ସପା ପୁଣି ଥରେ ରାଜ୍ୟସଭା ପଠାଇବା ବଦଳରେ ଜୟା ବଚନଙ୍କୁ ବାଛିଛି। ତେଣୁ ଏଥିରେ କ୍ଷୁବ୍ଧ ହୋଇ ନରେଶ ସପା ଛାଡ଼ି ବିଜେପିକୁ ଡେଇଁଛନ୍ତି। ଅପରପକ୍ଷେ, ସର୍ବଦା ବିବାଦୀୟ ବୟାନ ପାଇଁ ସମାଲୋଚିତ ହୋଇଥିବା ନରେଶ ବିଜେପିରେ ମିଶିଲା ପରେ ଆଉ ଏକ ଅରୁଚିକର ବୟାନ ଦେଇ ନିନ୍ଦିତ ହୋଇଛନ୍ତି। ସପା ତାଙ୍କୁ ଅଣଦେଖା କରି ଜଣେ ଫିଲ୍ମବାଲି ନର୍ତ୍ତକୀଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବା ଘଟଣା ତାଙ୍କୁ ଖୁବ୍‌ ଦୁଃଖ ଦେଇଛି ବୋଲି ସେ କହିଛନ୍ତି।

ତେବେ ଏହି ବିବୃତିକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କଡ଼ା ସମାଲୋଚନା କରିଛନ୍ତି। ଦଳରେ ନରେଶଙ୍କ ଯୋଗଦାନକୁ ବିଜେପି ସ୍ୱାଗତ କରୁଛି, ମାତ୍ର ଜୟାଙ୍କ ସମ୍ପର୍କରେ ସେ ଦେଇଥିବା ଟିପ୍ପଣୀ କେବେ ଗ୍ରହଣୀୟ ନୁହେଁ ବୋଲି ସୁଷମା କହିଛନ୍ତି। ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ନରେଶଙ୍କ ଏପରି ଅପମାନସୂଚନ ଟିପ୍ପଣୀକୁ ନାପସନ୍ଦ କରିଛନ୍ତି। ପାଞ୍ଚ ବର୍ଷ ତଳେ ତାଙ୍କ ପ୍ରତି ହୋଇଥିବା ଏପରି ଅରୁଚିକର ମନ୍ତବ୍ୟକୁ ମନେ ପକାଇ ସେ ଜଣେ ମହିଳାଙ୍କ ପ୍ରତି ଅସମ୍ମାନକୁ କେବେ ବରଦାସ୍ତ କରାଯିବନି ବୋଲି କହିଛନ୍ତି। ମହିଳାଙ୍କ ସମ୍ମାନ ରକ୍ଷା କ୍ଷେତ୍ରରେ ଦଳମତ ଭୁଲି ସମସ୍ତେ ଏକ ହେବା ପାଇଁ ସେ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର