ଜୟଙ୍କ ପରେ ଶୌର୍ଯ୍ୟ

ଡୋଭାଲଙ୍କ ପୁଅକୁ ନେଇ ଅଡ଼ୁଆରେ ବିଜେପି ୪ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ସମ୍ପତ୍ତି ବିବାଦକୁ ନେଇ ଚର୍ଚ୍ଚା ଥମୁଣୁ ଏବେ ବିଜେପିକୁ ଘେରିବା ପାଇଁ କଂଗ୍ରେସକୁ ଆଉ ଏକ ଅସ୍ତ୍ର ମିଳିଯାଇଛି। ଓ୍ଵବ୍‌ସାଇଟ ‘ଦ ଓୟାର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ଶୌର୍ଯ୍ୟ ଡୋଭାଲଙ୍କ ‘ଇଣ୍ଡିଆ ଫାଉଣ୍ଡେସନ’ ସଂଗଠନରେ ୪ ଜଣ କେନ୍ଦ୍ରମନ୍ତ୍ରୀ ବଡ଼ ପଦବି ଅଳଙ୍କୃତ କରି ବସିଛନ୍ତି । ଏହି ସଂଗଠନକୁ ସରକାରଙ୍କ ସହ ସଂପୃକ୍ତ ବିଭିନ୍ନ ଆର୍ଥିକ ସଂସ୍ଥାଠାରୁ ଅନୁଦାନ ମିଳୁଥିବାରୁ ଏଥିରେ ମନ୍ତ୍ରୀମାନଙ୍କ ସଂପୃକ୍ତ ଦେଶହିତର ବିରୋଧୀ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଉପଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏ ବାବଦରେ ହିନ୍ଦୀରେ ଟ୍ଵିଟ କରି କହିଛନ୍ତି- ଶାହ-ଜାଦାଙ୍କ ଅପାର ସଫଳତା ପରେ ଭାଜପାର ନୂଆ ଉପହାର..ଅଜିତ ଶୌର୍ଯ୍ୟ ଗାଥା।
ଅଜିତ ଡୋଭାଲଙ୍କ ପୁଅ ଶୌର୍ଯ୍ୟ ଡୋଭାଲଙ୍କ ଦ୍ୱାରା ପରିଚାଳିତ ଥିଙ୍କ୍‌ ଟ୍ୟାଙ୍କ୍‌ ଇଣ୍ଡିଆ ଫାଉଣ୍ଡେସନକୁ ନେଇ ଏବେ ଏନ୍‌୍‌ଡିଏ ସରକାର ଓ ବିଜେପିକୁ ଘେରିବା ପାଇଁ କଂଗ୍ରେସ ତା’ର ଅଭିଯାନ ଆରମ୍ଭ କରିଦେଇଛି। ଶୌର୍ଯ୍ୟଙ୍କ ଇଣ୍ଡିଆ ଫାଉଣ୍ଡେସନ ଏଭଳି କେତେକ ଆର୍ଥିକ ସଂସ୍ଥା ସହିତ ଅଂଶୀଦାର ରହିଛି ଯାହା ସିଧାସଳଖ ସରକାରଙ୍କ ସହ ଆର୍ଥିକ କାରବାରରେ ସଂପୃକ୍ତ ଏବଂ ମନ୍ତ୍ରୀମାନେ ଏହି ସଂସ୍ଥାରେ ନିର୍ଦ୍ଦେଶକ ପଦବିରେ ରହିବା କେତେଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହି ସଂଗଠନ କିଛି ବିଦେଶୀ ଏବଂ ଭାରତୀୟ କର୍ପୋରେଟଙ୍କ ଆର୍ଥିକ ସହାୟତାରେ ଚାଲିଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଏଥିରେ କିଭଳି ନିର୍ଦ୍ଦେଶକ ରହିପାରିବେ ବୋଲି କଂଗ୍ରେସ ନେତା କପିଲ ସିବଲ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି। ଇଣ୍ଡିଆ ଫାଉଣ୍ଡେସନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଦୁଇ ଜଣ ରାଜ୍ୟ ମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏମ୍‌ଜେ ଆକବର ରହିଛନ୍ତି। ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶୌର୍ଯ୍ୟ ଡୋଭାଲ ଜେମିନି ଫାଇନାନ୍‌ସିଆଲ ସର୍ଭିସେସ୍‌କୁ ମଧ୍ୟ ସଂଚାଳନ କରୁଛନ୍ତି। କଂଗ୍ରେସ ଦାବି କରିଛ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ନିର୍ଦ୍ଦେଶକ ଥିବା ୪ ଜଣ ମନ୍ତ୍ରୀଙ୍କୁ ତୁରନ୍ତ ହଟାଇ ଦେବା ଆବଶ୍ୟକ। ଏହା ସହିତ ମାମଲାର ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦଳ ଦାବି କରିଛି । କଂଗ୍ରେସ ନେତା ସିବଲ କହିଛନ୍ତି ଯେ ସୌର୍ଯ୍ୟ ଡୋଭାଲଙ୍କ ପରିଚାଳିତ ସଂସ୍ଥାରୁ ଫାଇଦା ପାଉଥିବା ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବା ଉଚିତ ।

ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ୨୦୧୫-୧୬ରେ ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ ଖବର ପ୍ରକାଶ କରିଥିବା େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ ଏବେ ଶୌର୍ଯ୍ୟଙ୍କ ସଂସ୍ଥା ସଂପର୍କରେ ଖୋଳତାଡ଼ କରି ପୁଣି ଚର୍ଚ୍ଚାକୁ ଆସିଛି ।

ସମ୍ବନ୍ଧିତ ଖବର