ସଂସଦରେ ‘ଜୟ ପାଲେଷ୍ଟାଇନ!’ ସ୍ଲୋଗାନ ଦେଲେ ଓଓ୍ବେସି

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ପାର୍ଟି ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଆସନ ସାଂସଦ ଅସଦୁଦ୍ଦିନ ଓୱେସି ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି। ମଙ୍ଗଳବାର ଲୋକସଭାରେ ଶପଥ ଗ୍ରହଣ ବେଳେ ଓୱେସି ପାଲେଷ୍ଟାଇନ ସମର୍ଥନରେ ଜୟ ପାଲେଷ୍ଟାଇନ ସ୍ଲୋଗାନ ଦେଇଛନ୍ତି । ହାଇଦ୍ରାବାଦ ସାଂସଦ ଓୱେସି ଏହି ସ୍ଲୋଗାନ ଦେବା ପରେ ସଂସଦ ଓ ବାହାରେ ହଙ୍ଗାମା ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଅସଦୁଦ୍ଦିନ ଓୱେସି ତାଙ୍କ ଶପଥ ରେ ଜୟ ପାଲେଷ୍ଟାଇନ କହିବା ପରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଶୋଭା କରନ୍ଦଲାଜେ ଏହାକୁ ବିରୋଧ କରିଥିଲେ। ଏହାପରେ ଲୋକସଭାର ପ୍ରିଜାଇଡିଂ ଅଫିସର ରାଧା ମୋହନ ସିଂହ ଅସଦୁଦ୍ଦିନ ଓୱେସିଙ୍କ ଏହି ବୟାନକୁ ରେକର୍ଡରୁ ହଟାଇବାକୁ କହିଥିଲେ। ତେବେ ଓୱେସିଙ୍କ ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଲୋକସଭାରେ ଶପଥ ଗ୍ରହଣ ସମାରୋହ ବେଳେ ଅସଦୁଦ୍ଦିନ ଓୱେସି ପ୍ରଥମେ ଶପଥ ନେବା ପାଇଁ ମଞ୍ଚକୁ ଆସିଥିଲେ। ସେ ଶପଥ ପାଠ ଶେଷ କରି ‘ଜୟ ଭୀମ, ଜୟ ମିମ୍, ଜୟ ତେଲେଙ୍ଗାନା ଏବଂ ଶେଷରେ ଜୟ ପାଲେଷ୍ଟାଇନ ତକବୀର ଅଲ୍ଲା ହୁ ଆକବର’ ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର