ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି ବୋଲି ମିଛ କୁହାଯାଇଥିଲା: ମନ୍ତ୍ରୀ ଶ୍ରୀନିବାସ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏଆଇଏଡିଏମ୍‌କେ ଦଳ ପକ୍ଷରୁ ମିଛ କୁହାଯାଇଥିଲା ବୋଲି ତାମିଲନାଡୁରର ମନ୍ତ୍ରୀ ଦିନଦିଗୁଲ୍‌ ଶ୍ରୀନିବାସ ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ଯେ ଯଦିଓ ଜୟଲଳିତା ଅସୁସ୍ଥ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା କେବଳ ଭିକେ ଶଶିକଳାଙ୍କ ଭୟରେ ସେମାନେ ଜନସାଧାରଣଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିଥିବା କଥା ମିଛ କହିଥିଲେ। ଉଲ୍ଲେଖଯୋଗ୍ୟ, ଜୟଲଳିତାଙ୍କ ଦେହାନ୍ତ ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିକେ ଶଶିକଳା ଏବେ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି।

ଶ୍ରୀନିବାସ କହିଛନ୍ତି, ‘ଆମ୍ମା ଇଡ୍‌ଲି ଖାଉଛନ୍ତି, ଚା ପିଉଛନ୍ତି ଆଦି କଥା ସେବୁ ସେତେବେଳେ ଗଣମାଧ୍ୟରେ ଚର୍ଚ୍ଚା ହୋଇଥିଲା। ମାତ୍ର ତାହା ଥିଲା କାଳ୍ପନିକ। କାରଣ ବାହାରେ ଜୟଲଳିତାଙ୍କ ଭଉଣୀ ପରି ଦିଶୁଥିବା ଶଶିକଳା ଦଳର କୌଣସି ଗୋପନକୁ ବାହାରେ ପ୍ରକାଶ କରିବାକୁ ଅନୁମତି ଦେଉନଥିଲେ।’

ମଦୁରାଇରେ ହୋଇଥିବା ଏକ ସାର୍ବଜନୀନ ବୈଠକରେ ଶ୍ରୀନିବାସ ଏପରି କଥା କହିଛନ୍ତି। ଶ୍ରୀନିବାସ ଏପରି ଏକ ମିଛ ପାଇଁ ଦଳୀୟ ସଦସ୍ୟ ଏବଂ ସାଧାରଣ ଜନତାଙ୍କୁ କ୍ଷମା ମାଗିଛନ୍ତି। ପରିସ୍ଥିତି ତାଙ୍କୁ ମିଛ କହିବାକୁ ବାଧ୍ୟ କରିଥିଲା ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର