୨୦୧୬ ସେପ୍ଟେମ୍ବର ୨୨ରେ ବାଥ୍‌ରୁମରେ ଅଚେତ ହୋଇ ପଡ଼ି ଯାଇଥିଲେ ଜୟଲଳିତା: ଶଶିକଳା

୯୦ ପାରାଗ୍ରାଫ୍‌ ବିଶିଷ୍ଟ ୫୫ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ କଲେ ଶଶିକଳା

ଚେନ୍ନାଇ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବେଙ୍ଗାଲୁରର ଏକ ଅଦାଲତ ୨୦୧୪ ସେପ୍ଟେମ୍ବର ମାସରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ଜୟଲଳିତାଙ୍କୁ ନଭେମ୍ବର ୨୦୧୪ରୁ ସେପ୍ଟେମ୍ବର ୨୦୧୬ ମଧ୍ୟରେ ୨୦ ଜଣ ଭିନ୍ନଭିନ୍ନ ଡାକ୍ତର ଚିକିତ୍ସା କରିଥିଲେ ବୋଲି ସୂଚନା ଦେଇଛନ୍ତି ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଭିକେ ଶଶିକଳା। ଜୟଲଳିତାଙ୍କ ମୁତ୍ୟୁ ସଂପର୍କରେ ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍‌ ଅରୁମୁଘାସ୍ୱାମୀ କମିଶନଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ଶଶିକଳା ଏହି ସୂଚନା ଦେଇଛନ୍ତି।

୯୦ ପାରାଗ୍ରାଫ୍‌ ବିଶିଷ୍ଟ ୫୫ ପୃଷ୍ଠା ସମ୍ବଳିତ ଏହି ଦୀର୍ଘ ସତ୍ୟପାଠରେ ଶଶିକଳା କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବର ୨୨, ରାତି ପ୍ରାୟ ୯ଟା ସମୟରେ ଜୟଳଲିତା ତାଙ୍କ ବାଥ୍‌ରୁମ୍‌ ଭିତରେ ଅଚେତ ହୋଇ ପଡ଼ି ଯାଇଥିଲେ। ପରେ ବାଥ୍‌ରୁମ୍‌ ଭିତରୁ ଜୟଲଳିତାଙ୍କୁ ଉଠାଇ ତାଙ୍କୁ ଖଟ ଉପରକୁ ଆଣିବା ସହ ଆପୋଲୋ ହସ୍ପିଟାଲକୁ ନେଇଥିଲେ। ସେସମୟରେ ଜୟଲଳିତା ସଂଜ୍ଞାହୀନ ଅବସ୍ଥାରେ ଥିଲେ।

ତା’ପରଦିନ ଜୟଲଲିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ସହ ତାଙ୍କର ଚେତା ଫେରି ଆସିଥିଲା ଏବଂ ସେ କଥାବାର୍ତ୍ତା କରୁଥିଲେ ବୋଲି ନିଜ ସତ୍ୟପାଠରେ କହିଛନ୍ତି ଶଶିକଳା। ଏଥିସହ ସେପ୍ଟେମ୍ବର ୨୬ରେ ଯେତେବେଳେ ଆପୋଲୋ ହସ୍ପିଟାଲର ‘ଏର୍ମଜେନ୍ସୀ ରୁମ୍‌’ରୁ ଜୟଲଳିତାଙ୍କୁ ଯେତେବେଳେ ‘ମଲ୍ଟି-ଡିସିପ୍ଲିନାରି କ୍ରିଟିକାଲ କେୟାର ୟୁନିଟ’କୁ ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସ୍ଥାନାନ୍ତର କରାଯାଉଥିଲା, ସେତେବେଳେ କୁଆଡ଼େ ମଜାଳିଆ ଭାବେ କହିଥିଲେ ଯେ ମୁଁ ଅଚେତ୍‌ ଥିଲି ବୋଲି ତୁମେମାନେ ମୋତେ ହସ୍ପିଟାଲକୁ ନେଇ ଆସିଲ; ମୋର ଚେତାଥିଲେ ମୁଁ କଦାପି ମୋତେ ହସ୍ପିଟାଲ ନେବାକୁ ଅନୁମତି ଦେଇ ନଥାନ୍ତି ବୋଲି କହିଛନ୍ତି ଶଶିକଳା।

ଏଥିସହ ଅସୁସ୍ଥ ଜୟଲଳିତାଙ୍କୁ ଦେଖାକରିବାକୁ ଆପୋଲ ହସ୍ପିଟାଲକୁ ଆସିଥିବା ମନ୍ତ୍ରୀ, ବିଧାୟକ, ସାଂସଦ ଓ ଅନ୍ୟ ବରିଷ୍ଠ ଦଳୀୟ ନେତାମାନଙ୍କ ନାମ ସତ୍ୟପାଠରେ ଉଲ୍ଲେଖ କରିବା ସହ ତାମିଲନାଡୁ ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଅସୁସ୍ଥ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଦୁଇଥର ଆପୋଲ ହସ୍ପିଟାଲକୁ ଆସିଥିବା କହିଛନ୍ତି ଶଶିକଳା। ତେବେ, ମୁଖ୍ୟ ସଚିବ ଓ ଅଧିକାରୀମାନଙ୍କ ସହ ଏକ ଏକ ହାଇଲେବଲ୍‌ ମିଟିଂ କରି ସାରିବା ପରେ ଠିକ୍‌ ଏହାର ପରଦିନ ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୮ ତାରିଖରେ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା। ଜୟଲଳିତାଙ୍କ ଚିକିତ୍ସା କରିବାକୁ ଏଆଇଆଇଏମ୍‌ଏସ୍‌ରୁ ଡାକ୍ତରମାନେ ଆସିଲେ। ୧୦ଦିନ ଚିକିତ୍ସାଧୀନ ରହିବା ପରେ ଜୟଲଳିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ସେ ସାଧାରଣ ଖାଦ୍ୟ ଗ୍ରହଣ କରିବା ସହ ଅଳ୍ପଅଳ୍ପ ବ୍ୟାୟାମ ମଧ୍ୟ କରୁଥିଲେ ବୋଲି ନିଜ ସତ୍ୟପାଠରେ କହିଛନ୍ତି ଶଶିକଳା।

ସମ୍ବନ୍ଧିତ ଖବର