ଜୟଲଳିତାଙ୍କ ଘର ରାଜ୍ୟ ସରକାର ନେଇପାରିବେନି: ହାଇକୋର୍ଟ

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ ସ୍ଥିତ ‘ବେଦ ନିଳୟମ’ ବାସଭବନକୁ ରାଜ୍ୟ ସରକାର ନେଇପାରିବେ ନାହିଁ । ଜୟଲଳିତାଙ୍କ ବାସଭବନକୁ ଏକ ସ୍ମାରକସ୍ଥଳରେ ପରିଣତ କରିବାପାଇଁ ସରକାର ତାଙ୍କ ବାସଭବନକୁ ନିଜ ଦଖଲକୁ ନେଇଥିଲେ ବି କୋର୍ଟ ଏହାକୁ ବାତିଲ କରିଦେଇଛନ୍ତି। ଜୟଲଳିତାଙ୍କ ଉତ୍ତରାଧିକାରୀ ତଥା ତାଙ୍କ ଝିଆରୀ ଏବଂ ପୁତୁରାଙ୍କ ଦ୍ବାରା ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଂଜ କରି ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। କୋର୍ଟ ଏହି ପିଟିସନ୍‌ର ଶୁଣାଣି କରି ଆଜି ଉକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏଆଇଏଡିଏମ୍‌କେ ସରକାର ମୁଖ୍ୟମନ୍ତ୍ରୀଙ୍କ ବେଦ ନିଳୟମ ବାସଭବନକୁ ଏକ ସ୍ମାରକ ସ୍ଥଳରେ ପରିଣତ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଜୟଲଳିତାଙ୍କ ଘରକୁ ଏକ ସ୍ମାରକରେ ପରିଣତ କରିବାର ଅଧିକାର ଏବଂ ଦାୟିତ୍ବ ଦଳର ଅଛି ବୋଲି ଏଆଇଏଡିଏମ୍‌କେ କହିଥିଲା। ଇ. ପଲାନିସ୍ବାମୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ନିଷ୍ପତ୍ତି ଶୁଣାଇଥିଲେ। ଚଳିତ ବର୍ଷ ଜୁଲାଇରେ ରାଜ୍ୟ ସରକାର ବାସଭବନକୁ ନିଜ ଦଖଲକୁ ନେବାପାଇଁ ସିଟି କୋର୍ଟରେ ୬୭.୯ କୋଟି ଟଙ୍କା ଦାଖଲ କରିଥିଲେ। କିନ୍ତୁ ଜୟଲଳିତାଙ୍କ ଉତ୍ତରାଧିକାରୀ ତଥା ତାଙ୍କ ଝିଆରୀ ଓ ପୁତୁରା ଏହାକୁ ତୀବ୍ର ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର