ନୂଆଦିଲ୍ଲୀ: ମଣିପୁରରେ ମହିଳାଙ୍କ ପ୍ରତି ହିଂସାକୁ ନେଇ ବିରୋଧୀଙ୍କ ଆକ୍ରମଣ ଉପରେ ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ମୁଖ୍ୟ ଜେ ଜୟଲଳିତାଙ୍କ କଥା କହିଛନ୍ତି।
ଭାରତରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସଂସଦରେ ଡିଏମକେ ନେତ୍ରୀ କାନିମୋଝିଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ‘ମଣିପୁର ହେଉ କି ରାଜସ୍ଥାନ କିମ୍ବା ଦିଲ୍ଲୀ, ଯେକୌଣସି ସ୍ଥାନରେ ମହିଳାମାନେ ଯନ୍ତ୍ରଣା ଭୋଗୁଛନ୍ତି, ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। କିନ୍ତୁ ଏହାକୁ ନେଇ ରାଜନୀତି ହେବା ଉଚିତ ନୁହେଁ’।
ଏହିକ୍ରମରେ ସେ ୨୫ ମାର୍ଚ୍ଚ ୧୯୮୯ରେ ତାମିଲନାଡୁ ବିଧାନସଭା ଗୃହ ଭିତରେ ଜୟଲଳିତାଙ୍କ ଶାଢ଼ି ଟାଣିବା ଘଟଣାକୁ ମନେ ପକାଇ କହିଥିଲେ ଯେ ସେ ବିରୋଧୀ ଦଳ ନେତା ଥିଲେ। ଡିଏମକେ ସଦସ୍ୟମାନେ ତାଙ୍କୁ ଅପଦସ୍ଥ କରିବା ସହ ତାଙ୍କର ବିଦ୍ରୁପ କରି ହସିଥିଲେ। ଏଇ ଘଟଣା ପରେ ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ବିଧାନସଭାକୁ ଫେରିବେ ବୋଲି ଜୟଲଳିତା ଶପଥ ନେଇଥିଲେ। ଆଉ ଦୁଇ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଫେରିଥିଲେ।
ସଂସଦରେ ହଙ୍ଗାମା କରୁଥିବା ଡିଏମକେ ସଦସ୍ୟଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ସୀତାରମଣ କହିଛନ୍ତି, ‘ଆପଣ କୌରବ ସଭା ବିଷୟରେ କହୁଛନ୍ତି, ଆପଣ ଦ୍ରୌପଦୀଙ୍କ କଥା କହୁଛନ୍ତି, ଡିଏମକେ ଜୟଲଳିତାଙ୍କୁ ଭୁଲିଯାଇଛି କି? ଅବିଶ୍ୱସନୀୟ’। ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ଅର୍ଥମନ୍ତ୍ରୀ ସଂସଦର ଲୋକସଭାରେ ଏହା କହିଛନ୍ତି।
ଡିଏମକେ ସାଂସଦ କାନିମୋଝିଙ୍କ ଆଉ ଏକ ମନ୍ତବ୍ୟର ଜବାବରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସିଲପତିଗରମର ଭାବନାକୁ ନିଜ ଭାବନାରେ କାର୍ଯ୍ୟକାରୀ କରୁଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଯେ ନ୍ୟାୟର ପ୍ରତୀକ ଭାବେ ନୂଆ ସଂସଦରେ ସ୍ଥାପିତ ‘ସେଙ୍ଗୋଲ’କୁ ଭୁଲି ଏକ ସଂଗ୍ରହାଳୟରେ ରଖାଯାଇଥିଲା ଏହା ତାମିଲଙ୍କ ପ୍ରତି ଅପମାନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଦେଶର ଅନ୍ୟତମ ପୁରାତନ ଶୈବ ମଠ ତାମିଲନାଡୁର ତିରୁଭାଭାଦୁଥୁରାଇ ଆଧିନାମ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ‘ସେଙ୍ଗୋଲ’ ଏହି ମଠ ପ୍ରଦାନ କରିଥିଲେ।