‘କ୍ଷମା ମାଗ, ନଚେତ ମାନହାନି ମକଦ୍ଦମା କରିବୁ’ ନଡ୍ଡାଙ୍କୁ ଚିଠି ଲେଖି ଏଭଳି ଚେତାବନୀ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ପ୍ରେମ ଶୁକ୍ଲାଙ୍କୁ କଂଗ୍ରେସ ଟାର୍ଗେଟ କରିଛି | କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି କ୍ଷମା ମାଗିବାକୁ କହିଛନ୍ତି ଏବଂ ଯଦି ଏହା ପୁନର୍ବାର ଘଟେ ତେବେ ମାନହାନି ମକଦ୍ଦମା ଦାୟର କରାଯିବ ବୋଲି ଚେତାବନୀ ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ବିଜେପି ମୁଖ୍ୟ ନଡ୍ଡାଙ୍କୁ ଏକ ଚିଠିରେ ଲେଖିଛନ୍ତି ଯେ ଜୁଲାଇ ୨୩ରେ ଏକ ନ୍ୟୁଜ ଚ୍ୟାନେଲରେ ଆଲୋଚନାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ଶୁକ୍ଲା “ଅଶ୍ଳୀଳ ତଥା ଅପମାନଜନକ” ଭାଷା ବ୍ୟବହାର କରିଥିଲେ |

ସେ କହିଛନ୍ତି ଯେ ବିଜେପିର ବରିଷ୍ଠ ନେତା ତଥା ମୁଖପାତ୍ରମାନେ ଯେଉଁ ସଂସ୍କୃତି ବିଷୟରେ କଥାବାର୍ତ୍ତା କରନ୍ତି ସେମାନେ ଦେଶର ମହିଳା ବିଶେଷ କରି ଏକ ଜାତୀୟ ଦଳର ୭୫ ବର୍ଷୀୟା ଅଧ୍ୟକ୍ଷାଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରିବାକୁ ପଛାନ୍ତି ନାହିଁ। ରମେଶ କହିଛନ୍ତି, ବିରୋଧୀ ଦଳର ନେତ୍ରୀଙ୍କ ପାଇଁ ଏଭଳି ଆପତ୍ତିଜନକ ଭାଷା ବ୍ୟବହାର କରିବା ବିଜେପିର ମହିଳା ବିରୋଧୀ ଚିନ୍ତାଧାରାକୁ ଦର୍ଶାଉଛି |

ଏଭଳି ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ଦେଶର ରାଜନୀତିର ସ୍ତର ତଳକୁ ଆସୁଛି। ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏବଂ ଆପଣଙ୍କୁ ଅପିଲ କରୁଛି ଯେ ନିଜ ଦଳର ଏହି ନେତାଙ୍କୁ କ୍ଷମା ମାଗିବାକୁ କୁହନ୍ତୁ ଏବଂ ଏଭଳି ଆପତ୍ତିଜନକ ଭାଷାର ବ୍ୟବହାରରୁ ଦୂରରେ ରହିବାକୁ ମଧ୍ୟ କୁହନ୍ତୁ | ଆମ ଅଧ୍ୟକ୍ଷାଙ୍କ ପ୍ରତି ଏଭଳି ବାରମ୍ବାର ଅପମାନଜନକ ଭାଷା ବ୍ୟବହାର ଆମକୁ ମାନହାନି ମକଦ୍ଦମା ଭଳି ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ କରିବ ବୋଲି କଂଗ୍ରେସ ନେତା କହିଛନ୍ତି।

ସମ୍ବନ୍ଧିତ ଖବର