ଜୟରାମ ଠାକୁର ହେବେ ହିମାଚଳର ମୁଖ୍ୟମନ୍ତ୍ରୀ, ଡିସେମ୍ବର ୨୭ରେ ନେବେ ଶପଥ

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ନରେନ୍ଦ୍ର ସିଂହ ତୋମାର ହାଇକମାଣ୍ଡଙ୍କୁ ଦେଇଥିଲେ ରିପୋର୍ଟ

ନୂଆଦିଲ୍ଲୀ/ସିମଲା: ଜୟରାମ ଠାକୁର ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ। ସେ ଆଗାମୀ ଡିସେମ୍ବର ୨୭ରେ ହିମାଚଳର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ପଦଭାର ଗ୍ରହଣ କରିବା ସହିତ ଶପଥ ନେବେ। ବିଜେପି ବିଧାୟକ ଦଳ ବୈଠକରେ ରବିବାର ଜୟରାମଙ୍କୁ ଚୟନ କରାଯାଇଛି। ହିମାଚଳ ବିଧାନସଭା ନିର୍ବାଚନରେ ବିଜେପିକୁ ଅଦ୍ଭୁତପୂର୍ଣ୍ଣ ବିଜୟ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କେନ୍ଦ୍ରମନ୍ତ୍ରୀ ଜୟପ୍ରକାଶ ନଡ୍ଡା ଓ ଜୟରାମ ଠାକୁରଙ୍କ ନାମ ଆଲୋଚନା ହେଉଥିଲା। ପୂର୍ବରୁ ଗତ ଡିସେମ୍ବର ୨୨ରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ନରେନ୍ଦ୍ର ସିଂହ ତୋମାରଙ୍କ ନେତୃତ୍ୱରେ ୨ଟି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍‌ ସିମଲା ଯାଇ ବୈଠକର ରିପୋର୍ଟ ହାଇକମାଣ୍ଡଙ୍କୁ ଦାଖଲ କରିଥିଲା।

ଦଳର କିଛି ନେତା ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରୁଥିଲେ। କିନ୍ତୁ ବିଧାୟକ ଦଳ ବୈଠକରେ ଜୟରାମଙ୍କ ନାମରେ ମୁହର ଲଗାଯାଇଛି। ରାଜନୈତିକ କ୍ୟାରିୟର ଦେଖିବାକୁ ଗଲେ ୫୨ ବର୍ଷିଅ ଜୟରାମ ୫ଥର ବିଧାୟକ ହୋଇସାରିଛନ୍ତି। ହିମାଚଳରେ ଠାକୁର ସମ୍ପ୍ରଦାୟ ବହୁ ସଂଖ୍ୟାରେ ଅଛନ୍ତି ଓ ନଡ୍ଡା ବ୍ରାହ୍ମଣ ଅଟନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରେମ କୁମାର ଧୂମାଲ ନିର୍ବାଚନରେ ହାରିଯିବା ପରେ ମୁଖ୍ୟମନ୍ତ୍ରୀ ଚୟନ କରିବା ନେଇ ଦଳକୁ ଅଡୁଆ ପରିସ୍ଥିତି ଦେଖାଯାଇଥିଲା।

ସଂକ୍ଷେପରେ ଜୟରାମ

ଜୟରାମ ଠାକୁର ୧୯୬୫ ଜାନୁଆରି ୬ରେ ମଣ୍ଡି ଜିଲ୍ଲାର ଟାଣ୍ଡିରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଜେଠୁରାମ ଓ ପତ୍ନୀଙ୍କ ନାମ ଡାକ୍ତର ସାଧନା ଠାକୁର। ଜୟରାମ ଏକ ଗରିବ କ୍ଷତ୍ରୀୟ ପରିବାରରେ ଜନ୍ମ ହୋଇଥିଲେ। ସେ ମଣ୍ଡିର ସିରାଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ଥର ବିଧାୟକ ହୋଇଛନ୍ତି। ପିଲାଟି ଦିନରୁ ଆରଏସଏସରେ ଯୋଗଦେଇ ପରେ କଲେଜ ନିର୍ବାଚନରେ ରାଜନୀତି ଆରମ୍ଭ କରିଥିଲେ। ୧୯୯୮ରେ ପ୍ରଥମ ଥର ପାଇଁ ବିଧାୟକ ହେବା ପରେ ଜୟରାମ ପଛକୁ ଫେରି ନାହାଁନ୍ତି। ସେ ହିମାଚଳ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ଧୂମାଲ ସରକାରରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ବିଭାଗର ଦାୟିତ୍ୱ ମିଳିଥିଲା।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍‌ର ଉପସ୍ଥିତିରେ ଜୟରାମଙ୍କ ଗୋଷ୍ଠୀ ଓ ଧୂମାଲଙ୍କ ଗୋଷ୍ଠୀ ମଧ୍ୟରେ ଯୋରଦାର ସ୍ଲୋଗାନ କରିଥିଲେ। ଏହାକୁ ନେଇ ଦଳର ହାଇକମାଣ୍ଡମାନେ ଅଡୁଆ ପରିସ୍ଥିତିରେ ପଡ଼ି ଯାଇଥିଲେ। ବିଜେପିର ବରିଷ୍ଠ ନେତା କହିଛନ୍ତି, ବୈଠକ ବେଳେ କିଛି ନେତା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ବିଜେପି ହିମାଚଳ ପ୍ରଦେଶ ଅଧ୍ୟକ୍ଷ୍ୟ ସତପାଲ ସିଂହ ସତୀ କହିଛନ୍ତି, ଅଟା କଳରେ ଗହମ ପଡ଼ିଲେ, ଅବସ୍ଥା ଯାହା ହୋଇଥାଏ, ସେହିଭଳି କିଛି ସ୍ଥାନରେ ଉତ୍ତେଜନା ଦେଖାଯାଇଥିଲା। ଯାହାକି ଆମେ କେବେ ଭାବି ନଥିଲୁ ଯେ, ଅବସ୍ଥା ଏପରି ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମାଲଙ୍କ ପରାଜୟ ହେଉଛି ଏସବୁର କାରଣ। ସତପାଲ କହିଛନ୍ତି, ବିଜେପିର ଗୁଲାବ ସିଂହ ଠାକୁର, ରବୀନ୍ଦ୍ର ରବି ସହିତ ଆହୁରି ଅନେକ ନେତା ନିର୍ବାଚନରେ ବିଫଳ ହୋଇଛନ୍ତି। ନିର୍ବାଚନରେ ହାରିବା କାରଣ ଅନେକ ଥାଏ। ଯେଉଁମାନେ ନିର୍ବାଚନରେ ପରାଜୟ କରିଛନ୍ତି, ଏ ନେଇ କୌଣସି ପ୍ୟାନେଲ ଗଠନ କରାଯିବାର ଯୋଜନା ନାହିଁ।

ସମ୍ବନ୍ଧିତ ଖବର