ଜୟପୁର-ମାଲକାନଗିରି ରେଳ ଲାଇନ୍‌କୁ ମଞ୍ଜୁରି

ନିର୍ମାଣ ହେବ ୧୩୦ କିମି ରେଳ ଲାଇନ୍‌, ଖର୍ଚ୍ଚ ହେବ ୨୬୭୬.୧୧ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେବ ମାଲକାନଗିରି ଜିଲ୍ଲା। ମାଓ ଅଧ୍ୟୁଷିତ ପଛୁଆ ମାଲକାନଗିରି ଜିଲ୍ଲାକୁ ରେଳ ଗଡ଼ିବ। ୧୩୦ କିମି ଦୈର୍ଘ୍ୟ ବିଶିଷ୍ଟ ଜୟପୁର-ମାଲକାନଗିରି ନୂତନ ରେଳ ପ୍ରକଳ୍ପକୁ ଆଜି ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ଏହି ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ୨୬୭୬.୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକୁ ଶେଷ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚଳିତ ଆର୍ଥିକ ବର୍ଷର ରେଳ ବଜେଟରେ ଏହି ପ୍ରକଳ୍ପ ପାଇଁ ୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନୂତନ ରେଳ ପ୍ରକଳ୍ପ କୋରାପୁଟ ଓ ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଜୟପୁର, ଫାଂଫୁଣି, ବୈପାରୀଗୁଡ଼ା, ଟାଙ୍ଗିଣିଗୁଡ଼ା, ନୁଂଖାରୀ, ସିନ୍ଧିଗୁଡ଼ା, ଗୋବିନ୍ଦପଲ୍ଲୀ, ମାଥିଲି, ପଙ୍ଗମ୍‌, ପୋଣ୍ଡ୍ରିପାଣି ରୋଡ଼, ପଞ୍ଚବଟି ଓ ମାଲକାନଗିରି ଦେଇ ଅତିକ୍ରମ କରିବ। ରେଳ ଲାଇନ୍‌ କାର୍ଯ୍ୟକାରୀ ହେଲେ ଏହି ଦୁଇ ଜିଲ୍ଲାର ସାମଗ୍ରିକ ବିକାଶ ସହିତ ଶିଳ୍ପ ବିକାଶ ତ୍ୱରାନ୍ଵିତ ହେବ ବୋଲି ରେଳ ମନ୍ତ୍ରାଳୟ ପ୍ରକାଶ କରିଛି। ଜୟପୁର-ମାଲକାନଗିରି ପ୍ରକଳ୍ପ ନିମନ୍ତେ ସମସ୍ତ ପ୍ରକାର ସର୍ଭେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରାଥମିକ କାର୍ଯ୍ୟ ସମ୍ପନ୍ନ ହୋଇଛି। କେବଳ ଜମି ଅଧିଗ୍ରହଣ ହେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଅଧିକାଂଶ ଜମି ଜଙ୍ଗଲ ଜମି ହୋଇଥିବାରୁ ଯେତେ ଶୀଘ୍ର ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ସହିତ ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହେବ, ସେତେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ହେବ ବୋଲି ପୂର୍ବତଟ ରେଳ ମହାପ୍ରବନ୍ଧକ ଉମେଶ ସିଂହ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨ ସୁଦ୍ଧା ଭିଜନ ନିଉ ଇଣ୍ଡିଆକୁ ସାକାର କରିବା ପାଇଁ ଦେଶର ୧୧୫ ଟି ଜିଲ୍ଲାର ବିକାଶ ପରିକଳ୍ପନା କରାଯାଇଥିବା ବେଳେ ତାହା ମଧ୍ୟରେ କୋରାପୁଟ ଓ ମାଲକାନଗିରିକୁ ସାମିଲ କରାଯାଇଛି। ଜୟପୁର-ମାଲକାନଗିରି ନୂତନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରକଳ୍ପ କୋରାପୁଟ ଓ ମାଲକାନଗିରି ଭଳି ଦୁଇ ପଛୁଆ ଜିଲାର ସାମଗ୍ରୀକ ବିକାଶ ସହିତ ଶିଳ୍ପ ବିକାଶରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର