ଜୟରାମ ଠାକୁର ହିମାଚଳର ମୁଖ୍ୟମନ୍ତ୍ରୀ: ୨୭ରେ ଶପଥଗ୍ରହଣ, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି

ସିମଳା: ହିମାଚଳପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ଜୟରାମ ଠାକୁରଙ୍କ ନାମ ସ୍ଥିର ହୋଇଛି। ଆଜି ସିମଳା ଠାରେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନରେନ୍ଦ୍ର ତୋମରଙ୍କ ଉପସ୍ଥିତିରେ ବିଜେପି ବିଧାୟକମାନଙ୍କର ବୈଠକ ବସିଥିଲା। ଚଳିତ ଥର ସିରାଜ ଆସନରୁ ଜିତିଥିବା ତଥା ପାଞ୍ଚ ଥରର ବିଧାୟକ ୫୨ ବର୍ଷୀୟ ଜୟରାମଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷିତ ହୋଇଥିଲା। ଆସନ୍ତା ୨୭ ତାରିଖରେ ଜୟରାମ ଶପଥ ନେବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ବୋଲି ଜଣାଯାଇଛି।
ଉଲ୍ଲେଖ ଥାଉ କି, ବିଜେପି ବିଧାୟକ ଦଳ ନେତା ବାଛିବା ପାଇଁ ନିର୍ମଳା ଓ ତୋମର ପ୍ରଥମେ ଗତ ଗୁରୁବାର ଠାରୁ ସିମଳାରେ ଡେରା ପକାଇଥିଲେ। ଆଲୋଚନା ପରେ ନିଷ୍ପତ୍ତି ହୋଇଥିବା ଜୟରାମଙ୍କ ନାମ ସେମାନେ ଶୁକ୍ରବାର ଔପଚାରିକ ଭାବେ ଘୋଷଣା କରିଥାନ୍ତେ। ମାତ୍ର ସେଦିନ ନିର୍ବାଚନରେ ହାରିଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମକୁମାର ଧୁମଲ୍‌ଙ୍କ ସମର୍ଥକ ଏବଂ ଜୟରାମଙ୍କ ସମର୍ଥକଙ୍କ ନାରାବାଜି ଯୋଗୁଁ ନିର୍ମଳା ଓ ତୋମର କୌଣସି ଘୋଷଣା ନକରି ଦିଲ୍ଲୀ ଫେରିଯାଇଥିଲେ।

ତେବେ କେନ୍ଦ୍ରୀୟ ନେତୃତ୍ୱ ପରାମର୍ଶ କ୍ରମେ ସେମାନେ ଆଜି ପୁଣି ଥରେ ସିମଳାରେ ପହଞ୍ଚିଥିଲେ। ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା ପରେ ଅନ୍ୟତମ ଦାବିଦାର ତଥା ପରାଜିତ ପ୍ରେମ କୁମାର ଧୁମାଲ ହିଁ ଜୟରାମଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତାକୁମାର ସମର୍ଥନ କରିଥିବା ବେଳେ ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଥିଲେ। ପରେ ଜୟରାମଙ୍କ ନେତୃତ୍ୱରେ ଏକ ବିଧାୟକ ପ୍ରତିନିଧିମଣ୍ଡଳ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ସାକ୍ଷାତ କରି ନୂଆ ସରକାର ଗଢ଼ିବା ପାଇଁ ଦାବି ଜଣାଇଥିଲେ। ସୂଚନାଯୋଗ୍ୟ, ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ବିଧାନସଭାକୁ ଏଥର ବିଜେପିର ୪୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର