ଜେସିବିର ଅର୍ଥ ହେଉଛି ଜିହାଦ୍ କଣ୍ଟ୍ରୋଲ ବୋର୍ଡ… ଚର୍ଚ୍ଚାରେ ବିଜେପି ନେତାଙ୍କ ଏଭଳି ଟ୍ବିଟ୍

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଜେପି ନେତା ନରସିଂହ ରାଓଙ୍କ ଟ୍ବିଟ। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଆଜି ଜବରଦଖଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଏଭଳି ଟ୍ବିଟ କରି ଚର୍ଚ୍ଚାକୁ ଆସିଛନ୍ତି ନରସିଂହ ରାଓ। ଜେସିବିର ଅର୍ଥ ଏକ ଭାରୀ ଗାଡ଼ି ବା ବୁଲଡୋଜରକୁ ବୁଝାଉଥିବା ବେଳେ ଏହାର ଏକ ଭିନ୍ନ ଅର୍ଥ କାଢ଼ି ଟ୍ବିଟ କରିଛନ୍ତି ନରସିଂହ ରାଓ। ସେ କହିଛନ୍ତି ଯେ, ଜେସିବିର ଅର୍ଥ ହେଉଛି ଜିହାଦ୍ କଣ୍ଟ୍ରୋଲ ବୋର୍ଡ। ଜେସିବିର ଫଟୋ ଦେଇ ସେ ଏଭଳି ଲେଖିଥିବା ଦେଖାଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶନିବାର ହୋଇଥିବା ହିଂସା ପରେ ଆଜି ପୁଣି ଏହି ଅଞ୍ଚଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଜି ସକାଳୁ ସକାଳୁ ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର୍‌ ରାଜା ଇକ୍‌ବାଲ୍‌ ସିଂହ କହିଥିଲେ ଯେ, ସମଗ୍ର ଦିଲ୍ଲୀରେ ଜବରଦଖଲ ବିରୋଧୀ ଅଭିଯାନ ଚାଲିବ। ଏହି ଅଭିଯାନ ଲାଗି ଆମେ ନିରାପତ୍ତା ପାଇଁ ଅନୁରୋଧ କରିଛୁ।

ତେବେ ଜାହାଙ୍ଗୀରପୁରୀରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ବନ୍ଦ କରାଇବା ସହ ଆଗାମୀକାଲି ମାମଲାର ଶୁଣାଣି ହେବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଦର୍ଶାଇ ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଜାରି କରିବା ଲାଗି ଆଗତ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବରିଷ୍ଠ ଆଡ୍‌ଭୋକେଟ୍‌ ଦୁଷ୍ୟନ୍ତ ଦାୱେ କହିଛନ୍ତି, ଜାହାଙ୍ଗୀରପୁରୀ ଅଞ୍ଚଳରେ ସମ୍ପୂର୍ଣ୍ଣ ଅଣସ୍ବୀକୃତ ଅସାମ୍ବିଧାନିକ ଉଚ୍ଛେଦ ଆଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଉଚ୍ଛେଦ ସଂକ୍ରାନ୍ତରେ ସେମାନଙ୍କୁ କୌଣସି ‘ନୋଟିସ୍‌’ ଦିଆଯାଇ ନାହିଁ ବୋଲି ଜାହାଙ୍ଗୀରପୁରୀର ବାସିନ୍ଦାମାନେ କହୁଛନ୍ତି। ତେବେ ଦିଲ୍ଲୀର ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କ ବୟାନ ପରେ ଉତ୍ତର ଦିଲ୍ଲୀ ମହାନଗର ନିଗମ ଉଚ୍ଛେଦ କାମ ଆରମ୍ଭ କରିଥିଲା ବୋଲି ଚର୍ଚ୍ଚା ହେଉଛି। ଆଦେଶ ଗୁପ୍ତା କହିଥିଲେ ଯେ, ଶନିବାର ଜାହାଙ୍ଗୀରପୁରୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ସାମିଲ ଅଭିଯୁକ୍ତମାନେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରେ ରହୁଛନ୍ତି। ଏହାକୁ ଭାଙ୍ଗିଦେବା ଉଚିତ୍।

ସମ୍ବନ୍ଧିତ ଖବର